ରାୟଗଡ଼ା : ରାୟଗଡ଼ାର କାଶୀପୁରଟେ ବ୍ୟାପିଛି ଝାଡାବାନ୍ତି ଭୟ । ଗୋଟିଏ ପରେ ଗୋଟିଏ ଜୀବନ ନେଉଛି । ଆଜି ପୁଣି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ରାୟଗଡ଼ା ଟିକିରି ଜାମୁଗୁଡାର ସୁନି ମାଝି ବୋଲି ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କ ବୟସ ୫୬ ବର୍ଷ ବୋଲି ଜଣାପଡିଛି । ଏବେ ଯାଏଁ ୧୧ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା ।

ଖବର ଅନୁଯାୟୀ, ଗତ ଦୁଇ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଟିକିରି ଜାମୁଗୁଡ଼ାର ସୁନି ମାଝି । ଆଉ ଏବେ ତାଙ୍କର ଜୀବନ ଯାଇଛି । ଯାହାକୁ ନେଇ ପୁରା ରାୟଗଡ଼ା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସେପଟେ ଡାକ୍ତରୀ ଟିମ୍‌ ଲଗାତର ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ରୋଗୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଅନ୍ୟପଟେ ବିଧାନସଭାରେ ବିରୋଧୀ ସଦସ୍ୟ ରାୟଗଡ଼ାରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗ ଉଠାଇଥିଲେ । ଯାହାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ପୂର୍ବ ଅପେକ୍ଷା ପରିସ୍ଥିତି ସୁଧୁରୁଛି । କିନ୍ତୁ ଆଗାମୀ ଦିନରେ କିଛି ମୃତ୍ୟୁ ସଂଖ୍ୟା ବଢିପାରେ।