ଲଗାଣ ବର୍ଷା ଭୟ: ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର

ମାଲକାନଗିରି : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା | ଏହାର ପ୍ରଭାବରେ ଅନେକ ସ୍ଥାନରେ ଜଳସ୍ତର ବଢିବାକୁ ଲାଗିଛି | ସେପଟେ ମାଲକାନଗିରି ଜିଲ୍ଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦିରେ ଜଳ ତପନ କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଛି । ଗତକାଲି ଠାରୁ ଆଜି ମୋଟୁରେ ୪ ଫୁଟ ବଢିଛି ଜଳସ୍ତର । ମୁଗି ପଏଣ୍ଟ ଠାରୁ ତିନି କିଲୋମିଟର ପର୍ଯ୍ୟନ୍ତ ମାଡି ଆସିଛି ବନ୍ୟା ପାଣି ।

ମୋଟୁ ସହରର ତଳିଆ ଅଞ୍ଚଳର ଲୋକଙ୍କୁ ଗତକାଲି ରାତିରେ ବନ୍ୟା ଆଶ୍ରୟ ସ୍ଥଳିରେ ସ୍ଥାନାନ୍ତର କରାଯାଇଛି । ବନ୍ୟାର ଭୟାବହକୁ ଦେଖି ସେବା ଆଶ୍ରମର ଛାତ୍ର ଛାତ୍ରୀମାନଙ୍କୁ ଏମଭି ୮୮ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ମୋଟୁରେ ରେଡ୍ ଆଲର୍ଟ ଘୋଷଣା କରାଯାଇଥିବା ବେଳେ ପରିସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

ଅନ୍ୟପଟେ, ଆଜି କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି |

ଶନିବାର କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି । ୧୭ ଓ ୧୮ ଦୁଇ ଦିନ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ଶୁକ୍ରବାର ଗୋପାଳପୁରରେ ୧୫୫ ମିଲିମିଟର, ରିଆମାଳରେ ୭୨ ମିଲିମିଟର, ଆନନ୍ଦପୁରରେ ୫୫.୬, ଘସିପୁରାରେ ୭୭, ଦେଓଗାଁରେ ୧୨୭, ହରଭଙ୍ଗାରେ ୬୦, କଳିଙ୍ଗାରେ ୭୦, ଫୁଲବାଣୀରେ ୯୧, ଟିକାବାଲିରେ ୭୪, ସମ୍ବଲପୁରରେ ୫୭, ଚକାପଦାରେ ୭୦, ଧରାକୋଟରେ ୬୩ ମିମି ବର୍ଷା ହୋଇଛି ।

Related Posts