
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନରେ ବିଜେଡି ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି। ଯେଉଁ ପଞ୍ଚାୟତ ସର୍ବାଧିକ ଭୋଟ ଲିଡ ଦେବ, ତାକୁ କୋଟିଏ ଟଙ୍କା ପୁରସ୍କାର ମିଳିବ ବୋଲି ସଭା ସମିତିରେ କୁହାଯାଉଛି। ଦଳର ନେତା ମାନେ ଭୋଟରଙ୍କୁ ଟଙ୍କା ଲୋଭ ଦେଖାଇ ପ୍ରଭାବିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ସେହିଭଳି ଯେଉଁମାନଙ୍କ ହାତରେ ଅବାଧ ନିର୍ବାଚନର ଦାୟିତ୍ୱ ରହିଛି ସେମାନେ ହିଁ ନିୟମ ଭାଙ୍ଗୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଏହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କଠାରେ ବିଜେପି ପ୍ରତିନିଧି ଦଳ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।
ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ପ୍ରାୟ ୪ ଦିନ ପୂର୍ବେ ଧାମନଗରରେ ବିଜେଡିର ଏକ କର୍ମୀ ସମ୍ମିଳନୀରେ ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରାଯାଇଛି । ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ୍ ଦେବ ତାକୁ କୋଟିଏ ଟଙ୍କାର ପୁରସ୍କାର ମିଳିବ ବୋଲି କୁହାଯାଇଛି। ଉକ୍ତ ସଭାରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ସାଂସଦ ସୁଲତା ଦେଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଟୁନିବାଳା ବିଶ୍ୱାଳ ପ୍ରମୁଖ ନେତା ଉପସ୍ଥିତ ଥିଲେ। ଦଳର ଏପରି ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଧାମନଗରର ଜୟନ୍ତ କୁମାର ଭୋଇ ନାମକ ବିଜେଡି ନେତା ଏହା ଘୋଷଣା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ କିନ୍ତୁ ଚୁପଚାପ ବସିଛନ୍ତି। ପୁଲିସ, ଜିଲ୍ଲା ପ୍ରଶାସନ, ବିଜେଡି ପ୍ରଚାରରେ ସବୁ ଲାଗିଛନ୍ତି। ତେଣୁ ବାଡ଼ ଯଦି ଫସଲ ଖାଇବ ଆମେ କହିବା କାହାକୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ସେ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ତେବେ ଏହି ଅଭିଯୋଗ ଆଧାରରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଏ ସମ୍ପର୍କରେ ଭାରତୀୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଆମେ ଆମ ନାଗରିକ ଅଧିକାରର ପ୍ରୟୋଗ କରିବୁ ବୋଲି ସମୀର ମହାନ୍ତି କହିଛନ୍ତି।