ଦିଲ୍ଲୀ କୀର୍ତ୍ତି ନଗରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବହୁ ଦୋକାନ

ଦିଲ୍ଲୀ କୀର୍ତ୍ତି ନଗରର ଫର୍ଣ୍ଣିଚର ମାର୍କେଟ୍‌ରେ ଗୁରୁବାର ରାତିରେ ହେଲା ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାର କାରଣ ଏ ଯାଏଁ ଜଣାପଡ଼ିନାହିଁ । ପ୍ରାୟ 30ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କଲେ ।

ରାଜଧାନୀ ଦିଲ୍ଲୀର କୀର୍ତ୍ତି ନଗର ସ୍ଥିତ ଫର୍ଣ୍ଣିଚର ମାର୍କେଟ୍‌ରେ ଗୁରୁବାର ରାତିରେ ହେଲା ଭୟାବହ ଅଗ୍ନିକାଣ୍ଡ । ମାର୍କେଟ୍‌ ପାଖରେ ଥିବା ବସ୍ତିରୁ ଆରମ୍ଭ ହୋଇ ଏହି ନିଆଁ ପରେ ବ୍ୟାପିବାରେ ଲାଗିଲା । ପରେ ଗୋଟିଏ 4 ମହଲା ବିଲଡିଂ ଯାଏଁ ନିଆଁ ପହଞ୍ଚିଗଲା । ଅଗ୍ନିଶମ ବିଭାଗର ପ୍ରାୟ 30ଟି ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ । ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ତେବେ ଏହି ଘଟଣାରେ ଏ ଯାଏଁ କେହି ମୃତାହତ ହୋଇଥିବା ଖବର ଆସିନାହିଁ ।

କୁହାଯାଉଛି ରାତି ପ୍ରାୟ 12ଟା ବେଳେ ନିଆଁ ଲାଗିଲା । ଏବେ ନିଆଁ ଲାଗିଥିବା 4 ମହଲା ଅଟ୍ଟାଳିବା ଭୁଶୁଡ଼ି ପଡ଼ିବାର ଆଶଙ୍କା ବି ସୃଷ୍ଟି ହୋଇଛି । କୁହାଯାଉଛି ଯେ ସେହି ବିଲଡିଂରେ ବହୁ ସଂଖ୍ୟାରେ କାଠ ଓ ରଙ୍ଗ ଥିବା କାରଣରୁ ନିଆଁ ଖୁବ୍‌ ଦ୍ରୁତ ଗତିରେ ବ୍ୟାପିଗଲା ।
ସୂଚନାଯୋଗ୍ୟ କୀର୍ତ୍ତିନଗର ସ୍ଥିତ ଫର୍ଣ୍ଣିଚର ମାର୍କେଟ୍‌ ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ଼ ମାର୍କେଟ୍‌ ମଧ୍ୟରୁ ଗୋଟିଏ । ଗତ କିଛି ବର୍ଷ ଭିତରେ ଏଠାରେ ବାରମ୍ବାର ଏମିତି ଛୋଟ ବଡ଼ ଅଗ୍ନିକାଣ୍ଡ ଖବର ଆସୁଛି ।

Related Posts