‘ସିବିଆଇ ନିର୍ଦ୍ଦେଶକଙ୍କୁ ହଟାଇବାକୁ କାହିଁକି ଏତେ ବ୍ୟସ୍ତ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ ?’

CBI Chief Alok Vermaଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବାକୁ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମାତ୍ର ଗୋଟିଏ ଦିନ ତଳେ ନିଜ ପଦରେ ପୁନଃଅବସ୍ଥାପିତ ହୋଇଥିବା ଆଲୋକ ବର୍ମାଙ୍କୁ ହଟାଇବାକୁ ପ୍ରଧାନମନ୍ତ୍ରୀ ଏତେ ବ୍ୟସ୍ତ ହୋଇପଡ଼ିଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇବାର ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ପ୍ରଶ୍ନ କରିଛି । ‘ଆଲୋକ ବର୍ମାଙ୍କୁ ହଟାଇବାକୁ କାହିଁକି ଏତେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ ?’ କଂଗ୍ରେସ ନେତା ଆନନ୍ଦ ଶର୍ମା ଆଲୋକ ବର୍ମାଙ୍କୁ ହଟାଯିବା ନିଷ୍ପତ୍ତି ପରେ ଗୁରୁବାର ରାତିରେ ସାମ୍ବାଦିକ ସମ୍ମିଳନୀ କରି କହିଲେ ଯେ ସିଭିସି ଆଲୋକ ବର୍ମାଙ୍କ ଉପରେ ଯେଉଁ ଅଭିଯୋଗ ଲଗାଇଥିଲେ ସେଥିରେ କୌଣସି ସତ୍ୟତା ମିଳିଲା ନାହିଁ । 6ଟି ଅଭିଯୋଗ ଭୁଲ ପ୍ରମାଣିତ ହେଲା, 4ଟି ଅଭିଯୋଗ ଥିଲା ଭିତ୍ତିହୀନ । 77 ଦିନ ପରେ ସୁପ୍ରିମକୋର୍ଟ ତାଙ୍କୁ ପୁନଃଅବସ୍ଥାପିତ କରିଥିଲେ, ଏତେ ବ୍ୟସ୍ତତା କ’ଣ ଥିଲା ଯେ 24 ଘଣ୍ଟା ଭିତରେ ତାଙ୍କୁ ପଦରୁ ହଟାଇ ଦିଆଗଲା ।

ଆଲୋକ ବର୍ମାଙ୍କୁ ନେଇ ନିଷ୍ପତ୍ତିରେ ଏତେ ବ୍ୟସ୍ତତା ନେଇ ଆଶଙ୍କା ବ୍ୟକ୍ତ କରି ଆନନ୍ଦ ଶର୍ମା କହିଲେ ଯେ, ‘କ’ଣ ଏଥିରେ ଏମିତି କିଛି ଅଛି ଯାହାକୁ ସରକାର ଲୁଚାଇବାକୁ ଚାହୁଁଛନ୍ତି ? ସିଭିସି ରିପୋର୍ଟରେ ଯଦି ସୁପ୍ରିମକୋର୍ଟଙ୍କୁ କିଛି ପାଇଥାନ୍ତେ ତେବେ ଆଲୋକ ବର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ପ୍ରଶ୍ନ ଉଠୁଛି ସିଭିସି ପ୍ରଧାନମନ୍ତ୍ରୀଙ୍କ ଇସାରାରେ କାମ କରୁଥିଲା ।’ ଆନନ୍ଦ ଶର୍ମା କହିଲେ ଅଧା ରାତିରେ କାହିଁକି ସିବିଆଇ ମୁଖ୍ୟଙ୍କୁ ହଟାଗଲା, ଏହାର ଜବାବ୍‌ ମିଳିନାହିଁ । ଜଣେ ସାଧାରଣ ଲୋକ ନ୍ୟାୟ ଆଶା କରେ, ଆଲୋକ ବର୍ମା ମଧ୍ୟ କରିପାରନ୍ତି ।

ଆନନ୍ଦ ଶର୍ମା ପ୍ରଶ୍ନ ଉଠାଇଲେ ଯେ କେଉଁ ଭୟ କାରଣରୁ ପ୍ରଧାନମନ୍ତ୍ରୀ ମୋଦି ଆଲୋକ ବର୍ମାଙ୍କୁ ହଟାଇବାକୁ ଚାହୁଁଥିଲେ, ଏବଂ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ଆଣିବାକୁ ଚାହୁଁଥିଲେ । କ’ଣ କିଛି ଏମିତି ଅଛି ଯାହାର ତଦନ୍ତ ନ ହେଉ ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ବାରା କରାଇବାକୁ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ?

ଆନନ୍ଦ ଶର୍ମା ଦାବି କରିଛନ୍ତି ଯେ ଆଲୋକ ବର୍ମାଙ୍କୁ ତାଙ୍କୁ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉ । ଏକ କମିଟି ଏହି ମାମଲାର ଯାଂଚ କରୁ ଯେ ତାଙ୍କୁ ଅଧା ରାତିରେ କାହିଁକି ପଦରୁ ହଟାଗଲା ।

Related Posts