ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ପାଞ୍ଚ ମହଲା ବିଶି‌ଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ । ୩ ଜଣ ଜୀବନ୍ତ ଦଗ୍ଧ, ୮ ଆହତ । ଅଗ୍ନିଶମ ବାହିନୀ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ୨୨ ବର୍ଷୀୟ ଯୁବକ ଅଛନ୍ତି। ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ଦୁଇ ଜଣ ମହିଳାଙ୍କୁ ଡାକ୍ତର ମୃତ ଘେଷଣା କରିଦେଇଛନ୍ତି। ଏମ୍ସରେ ଭର୍ତ୍ତି ଯୁବକଙ୍କର ମଧ୍ୟ ମୃତ୍ୟୁ ହୋଇଛି ।ଦିଳ୍ଲୀ ଅଗ୍ନିଶମ ସେବା ସୂଚନା ଅନୁଯାୟୀ, ରାତି ୨ଟା ୨୫ରେ ନିଆଁ ଲାଗିବା ନେଇ ସେମାନଙ୍କୁ ସୂଚନା ମିଳିଥିଲା। ଘଟଣା ତୁଗଲକାବାଦର ଗଳି ନଂ ୧, ନୟା ତାରା ଆପାର୍ଟମେଣ୍ଟ ସ୍ଥିତ ଏକ ଘରେ ଘଟିଥିଲା। ସୂଚନା ମିଳିବା ମାତ୍ରେ ଦମକଳର ୭ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହାପରେ ଫୋନ୍‌ କଲ୍‌ ଆସିବାରୁ ଅତିରିକ୍ତ ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା।

ନିଆଁ କୋଠାର ତଳ ମହଲାରେ ଥିବା ତିନିଟି ସ୍କୁଟି, ଦୁଇଟି ମୋଟର ସାଇକେଲ ଓ ଗୋଟିଏ ସାଇକେଲରେ ଲାଗିଥିଲା। ସଙ୍ଗେ ସଙ୍ଗେ ନିଆଁ ଓ ଧୂଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର, ପ୍ରଥମ ଓ ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଉପର ମହଲା ଆଂଶିକ ଭାବେ ପ୍ରଭାବିତ ହୋଇଛି। କୋଠାରୁ ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଓ ଏମ୍ସର ଟ୍ରମା ସେଣ୍ଟର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି।