ଚେନ୍ନାଇ: ଆଜିଠାରୁ ଦକ୍ଷିଣ ଭାରତରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍। ଚେନ୍ନାଇରୁ ବାଙ୍ଗାଲୋର ଦେଇ ମହୀଶୂର ଯାତ୍ରା କରିବ ଏହି ଅର୍ଦ୍ଧ-ଦ୍ରୁତଗାମୀ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନଭେମ୍ବର ୧୧-୧୨ ତାରିଖ କର୍ଣ୍ଣାଟକ ଗସ୍ତ ଅବସରରେ ଆଜି ପତାକା ହଲାଇ ଏହି ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି।
ଏହାଛଡ଼ା ମୋଦୀ ଏଠାରେ ବିମାନବନ୍ଦର ଟର୍ମିନାଲ୍ ଲଞ୍ଚ୍ କରିବା ସହ ୨୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟକ ବିକାଶ ମୂଳକ ପ୍ରକଳ୍ପ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକରେ ପହଞ୍ଚି ସକାଳୁ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରି ସାରିଛନ୍ତି। ସେ ବେଙ୍ଗାଲୁରୁର ବିଧାନ ସୌଧରେ ଥିବା ସନ୍ଥ କନକ ଦାସ ଓ ମହର୍ଷି ବାଲ୍ମିକୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରିଥିଲେ। ଏହାପରେ ସେ କ୍ରାନ୍ତିଭିରା ସଙ୍ଗୋଲୀ ରାୟନା ରେଳ ଷ୍ଟେସନ୍ ଅଭିମୂଖେ ଯାଇ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି।
ବିଦ୍ୟୁତ୍ଶକ୍ତିରେ ଚାଳିତ ବନ୍ଦେ ଭାରତ ଟ୍ରେନ୍ ଆଧୁନିକ ଦେଶୀୟ ପ୍ରଯୁକ୍ତିରେ ତିଆରି। ଏହା ସମ୍ପୂର୍ଣ୍ଣ ବାତାନୁକୂଳିତ ଏବଂ ଏହାର ଦୁଇଟା ବିଭାଗ ରହିବ- ଏକ୍ଜିକ୍ୟୁଟିଭ୍ ଓ ଇକନମି କାର୍। ଏକ୍ଜିକ୍ୟୁଟିଭ୍ ବଗିରେ ୧୮୦ ଡିଗ୍ରି ଘୂର୍ଣ୍ଣାୟମାନ ଚେୟାର ରହିବ ଏବଂ ଇକନମି ବଗିରେ ସିଟ୍ଗୁଡ଼ିକ କାର୍ ସିଟ୍ ପରି ଆରାମଦାୟକ ହେବ। ଏହି ଏକ୍ସପ୍ରେସ୍ ଟ୍ରେନ୍ ବୁଧବାର ଛଡ଼ା ସବୁଦିନ ଚାଲିବ। ଏଥିରେ ୧୬ଟି କୋଚ୍ରେ ୧,୧୨୮ ଜଣ ଯାତ୍ରୀ ବସିପାରିବେ। ଇକନମି କ୍ଲାସ୍ ଏସି ଚେୟାର କାର୍ରେ ଚେନ୍ନାଇରୁ ମହିଶୂର ଯିବା ପାଇଁ ୯୨୧ ଟଙ୍କା ଭଡ଼ା ପଡ଼ିବ। ଏକ୍ଜିକ୍ୟୁଟ୍ କ୍ଲାସ୍ରେ ତା’ର ପ୍ରାୟ ଦୁଇଗୁଣ ୧୮୮୦ ଟଙ୍କା ପଡ଼ିବ। ଚେନ୍ନାଇରୁ ମହୀଶୂର ୫୦୪ କିମି ଯିବା ପାଇଁ ୬ ଘଣ୍ଟା ୪୦ ମିନିଟ ସମୟ ଲାଗିବ। ଶତାବ୍ଦୀ ଏକ୍ସପ୍ରେସ୍ଠାରୁ ଏଥିରେ ୩୯ ପ୍ରତିଶତ ଅଧିକ ଭଡ଼ା ପଡ଼ିବ। କାରଣ ଏସି ଚେୟାର କାର୍ ପାଇଁ ୪୦ ଟଙ୍କା ଏବଂ ରିଜର୍ଭେସନ ଓ କ୍ୟାଟରିଂ ଚାର୍ଜ ବାବଦକୁ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୭୫ ଟଙ୍କା ଅଧିକ ପଡ଼ିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି।
