ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର; ତଳିଆ ଅଂଚଳରେ ଥିବା ଗାଁଗୁଡ଼ିକରେ ବନ୍ୟା

ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇବାରୁ ଏବେ ମହାନଦୀ ବନ୍ୟା ଆସିଛି । ମହାନଦୀକୁ ସଂଯୋଗ କରୁଥିବା ସମସ୍ତ ଛୋଟ ନଦୀରେ ବନ୍ୟା ଜଳ ବଢ଼ିବାରେ ଲାଗିଛି । ଫଳରେ ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଂଚଳରେ ଥିବା ଗାଁଗୁଡ଼ିକରେ ଏବେ ବନ୍ୟା ଜଳ ପ୍ରବେଶ କରୁଛି । ଫଳରେ ହଜାର ହଜାର ଲୋକ ଏବେ ପ୍ରଭାବିତ ହୋଇଛନ୍ତି ।

କେନ୍ଦ୍ରାପଡ଼ାର ଦୁଇଟି ବ୍ଲକ ମାର୍ଶାଘାଇ ଓ ଗରଦପୁର ବ୍ଲକ୍‌ରେ ଏକାଧିକ ୱାର୍ଡରେ ବନ୍ୟା ଜଳ ପଶିଛି । ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ଡିହବଳରାମପୁରରେ ୮, ୯ ଓ ୧୦ ନମ୍ବର ୱାର୍ଡରେ ବନ୍ୟା ଜଳ ପ୍ରବେଶ କରିଛି । ସେହିପରି ଗରଦପୁରର ୯ ନମ୍ବର ୱାର୍ଡରେ ମଧ୍ୟ ବନ୍ୟା ଆସିଛି । ଏହା ସହିତ ବିନ୍ଧାଣିମା ଗାଁ ପାଖ ଗାଈନାଳ ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଶତାଧିକ ଲୋକ ଏବେ ହନ୍ତସନ୍ତ ହେଉଛନ୍ତି ।

ସେପଟେ ଖୋର୍ଦ୍ଧାରେ ମଧ୍ୟ ସମାନ ପରିସ୍ଥିତି ଉତ୍ପନ୍ନ ହୋଇଛି । ଜିଲ୍ଲାର ଓବରସିଂ ପଞ୍ଚାୟତର ହିରିମୂଳ ଓ ଡିହଖଳା ବାହ୍ୟ ଜଗତରୁ ସମ୍ପୂନ୍ନ ବିଚ୍ଛିନ୍ନ ହୋଇଯାଇଛି । ରାଜୁଆ ନଦୀର ବନ୍ୟାପାଣି ପଶୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ସେହିପରି କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଚଷାଆରା ଗାଁ, ତିଗିରିଆ, ଓ ବାଙ୍କୀର ୮ ପଞ୍ଚାୟତର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

Related Posts