ବନ୍ୟା ଆଶଙ୍କା: ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ

ଜଗତସିଂହପୁର : ମହାନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଏବେ ବିପଦ ସଙ୍କେତ ପାର କରିଛି।

ଜଗତସିଂହପୁର ଜିଲ୍ଲାର ଦେବୀନଦୀର ଦଳେଇ ଘାଇ ବିପଦ ସଂକେତ ଟପିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାର ଯେଉଁ ସ୍କୁଲରେ ବନ୍ୟା ପାଣି ପ୍ରବେଶ କରିଛି ବା ଯେଉଁଥିରେ ପାଣି ପଶିବା ଆଶଙ୍କା ରହିଛି ତାହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟ ପାଣି ପ୍ରବେଶ କରିଥିବାରୁ ବାହ୍ୟ ଜଗତରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ତଳିଆ ଅଞ୍ଚଳ ସ୍କୁଲରେ ଅଣ୍ଟାଏ ଲେଖା ବନ୍ୟା ପାଣି ପ୍ରବାହିତ ହେଉଛି। ଏପରି ସ୍ଥିତିରେ ଅଘଟଣ ଆଶଙ୍କାକୁ ଏଡ଼ାଇବାକୁ ପାଣି ପଶିଥିବା ବା ପଶିବା ସମ୍ଭାବନା ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏନେଇ ସବୁ ବିଇଓମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବନ୍ୟା ପାଣି ପ୍ରବେଶ କଲେ ସ୍କୁଲର ମଧ୍ୟାହ୍ନ ଭୋଜନ ସାମଗ୍ରୀ ସମେତ ମୂଲ୍ୟବାନ ଜିନିଷକୁ କିପରି ସୁରକ୍ଷିତ ରଖାଯିବ ସେଥିପ୍ରତି ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Related Posts