ଲଗାଣ ବର୍ଷା ଯୋଗୁ ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି: ଗଲାଣି ୩୪ ଜଣଙ୍କ ଜୀବନ

ଲକ୍ଷ୍ନୌ : ଲଗାଣ ବର୍ଷା ଯୋଗୁ ବେହାଲ୍ ହୋଇପଡିଛି ଉତ୍ତରପ୍ରଦେଶ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ରାଜଧାନୀ ଲକ୍ଷ୍ନୌ ସମେତ ୪୫ ଜିଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏପରିକି ବର୍ଷାକୁ ଦୃଷ୍ଟିରେ ରଖି ନୋଏଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଆଗ୍ରା, ମିରଟ, ଅଲିଗଡ଼, ମଥୁରା, କାନପୁର, ଏଟା, ମେନପୁର, ଫିରୋଜାବାଦ ଆଦି ଜିଲା ସ୍କୁଲ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ମିରଟ ଏବଂ ଅଲିଗଡ଼ରେ ୪୮୮ ମି.ମି ବର୍ଷା ରେକର୍ଡ ହୋଇଛି।

ସୋମବାର ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିବା ପରେ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ୨୪ ଘଣ୍ଟିଆ ଆଲର୍ଟ କରାଯାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟ ମନ୍ତ୍ରୀ ବ୍ରଜେଶ ପାଠକ ଟୁଇଟ କରି ଜରୁରୀକାଳୀନ ସେବା ପାଇଁ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କହିଛନ୍ତି। ଏପରି କି ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ ସାମଗ୍ରୀ ଯୋଗାଇ ଦେବା ସହ ମୃତକଙ୍କ ପରିବାର ଲୋକଙ୍କୁ ସରକାରଙ୍କ ଅନୁଦାନ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

Related Posts