ଫୁଲ ଦଳ ଚାଷୀମାନଙ୍କୁ ‘ଏପ୍ରିଲ୍‌ ଫୁଲ’ କଲା: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଏବେ ନାମାଙ୍କନ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତକାଲି ସେଠାରେ ଏକ ରାଜନୈତିକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ନାମାଙ୍କନ ଦାଖଲ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଦଳର ବହୁ ତୁଙ୍ଗ ନେତା ମାନେ ଏକ ବିରାଟ ପଟୁଆରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ସେଠାରେ ଫସଲ ବୀମା ପାଇଁ ଆନ୍ଦୋଳନରତ ଚାଷୀ ମାନେ ସେମାନଙ୍କ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରିବାକୁ ବିଜେପି ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ। ଏହାପରେ ବିଜେପି ପ୍ରାର୍ଥୀ ନାମାଙ୍କନ ନ ଭରି ସେଠାରୁ ଫେରି ଆସିଥିଲେ। ତେବେ ଏହି ପୁରା ଘଟଣାକ୍ରମକୁ ନେଇ ଏବେ କଡ଼ା ଟିପ୍ପଣୀ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ। ଫୁଲ ଦଳ ଚାଷୀମାନଙ୍କୁ ‘ଏପ୍ରିଲ୍‌ ଫୁଲ’ କଲା ବୋଲି ପ୍ରସନ୍ନ କହିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ବୀମା ପାଇଁ ଚାଷୀମାନେ ଆନ୍ଦୋଳନ କରିବା ଯଥାର୍ଥ। କିନ୍ତୁ, ଚା‌ଷୀଙ୍କୁ ଭୁଆଁ ବୁଲାଇ ବିଜେପି ‘ଚୋର୍‌ ମଚାଏ ସୋର୍‌’ ଭଳି ଆଚରଣ କରୁଛି। ସେମାନେ ଡାହାଣୀ ହୋଇ ଲଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ିବାକୁ ଚେଷ୍ଟା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଫସଲ ବୀମା କେବଳ କେନ୍ଦ୍ର ସରକାରଙ୍କ ଯୋଜନା ବୋଲି ସମସ୍ତଙ୍କୁ ଜଣା। ଏହା କେନ୍ଦ୍ର ସରକାରଙ୍କ କୃଷି ବିଭାଗ ଦ୍ଵାରା ପରିଚାଳିତ। ହେଲେ ବରଗଡ଼ ଜିଲ୍ଲାର ଚାଷୀ ମାନେ ଯେତେବେଳେ ଆଜି ନିଜର ଫସଲର କ୍ଷତିପୂରଣ ଦାବି କରୁଛନ୍ତି କେନ୍ଦ୍ର ସରକାର ତାଙ୍କୁ ଭୁଆଁ ବୁଲାଉଛନ୍ତି। ଏକଥା ଚାଷୀ ବି ଜାଣିଛନ୍ତି। ବୀମା ପାଇଁ ରାଜ୍ୟ ସରକାର ନିଜ ଭାଗର ପ୍ରିମିୟମ ଢେର୍‌ ପୂର୍ବରୁ ଦାଖଲ କରିଛନ୍ତି। ଏହାବାଦ୍‌ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି ଏବଂ ଚିଠି ଜରିଆରେ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ଦେବାକୁ ଦାବି କରିଛନ୍ତି। ଏସବୁ ପରେ ବିଜେପି ଅଯଥା‌ରେ ବିଜେଡି ଉପରେ ଦୋଷ ଲଦିବା ହାସ୍ୟାସ୍ପଦ। ଫସଲ ବୀମା ପ୍ରକ୍ରିୟା ଲୁଚାଛପା ନୁହଁ। କିଏ କେଉଁ ଦାୟିତ୍ବ ତୁଲାଇବ ଓ ଦାୟିତ୍ବ ନେବ, ତା’ର ନୀତିନିୟମ ରହିଛି। କିନ୍ତୁ, ‌କେନ୍ଦ୍ର ସରକାର କେବଳ ନିର୍ବାଚନ ଲଢ଼ିବା ନିଶାରେ ଏସବୁ ନୀତିନିୟମକୁ ଅଣଦେଖା କରି କେବଳ ରାଜ୍ୟ ସରକାର ଉପରେ ଦୋଷ ଲଦୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଯଦି ବିଜେପି ସରକାର ପଦ୍ମପୁରବାସୀଙ୍କ ହିତ ଚିନ୍ତା କରୁଛି, ବରଗଡ଼-ନୂଆପଡ଼ା-ରାୟପୁର ରେଳପଥ କୁଆଡ଼େ ଗଲା ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ଦଶନ୍ଧି ଦଶନ୍ଧି ହେଲା ଏହି ପ୍ରକଳ୍ପ ପାଇଁ ବିଜେଡି ଦାବି ରଖି ଆସିଛି। କିନ୍ତୁ, କେନ୍ଦ୍ର ସରକାର ଏହି ପ୍ରକଳ୍ପ ନେଇ ଏଯାଏଁ କିଛି ପଦ‌କ୍ଷେପ ନେଇ ନାହାନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।

Related Posts