ବିମାନରେ ମିଳିଲା ନାହିଁ ଭୋଜନ, ୨୪ ଘଣ୍ଟା ହେଲା ମିଳିନାହିଁ ଲଗେଜ; ମାଲେସିଆ ଏୟାରଲାଇନ୍ସ ବିରୋଧରେ ଭାରତୀୟ କ୍ରିକେଟରଙ୍କ ଅଭିଯୋଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ କ୍ରିକେଟ୍ ଦଳ ଏବେ ବାଂଲାଦେଶ ଗସ୍ତରେ ଅଛି। ଦୁଇ ଦଳ ମଧ୍ୟରେ ଆସନ୍ତାକାଲିଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବ। ଦିନିକିଆ ପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ବାଂଲାଦେଶ ପହଞ୍ଚି ସାରିଛି। ତେବେ ଏହା ମଧ୍ୟରେ ଭାରତୀୟ କ୍ରିକେଟରଙ୍କ ସହିତ ବିମାନରେ ଦୁର୍ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି।ଏହାର ଖୁଲାସା ଖୋଦ୍ କ୍ରିକେଟର କରିଛନ୍ତି।

ଆଉ ଏମିତି ନିନ୍ଦନୀୟ ଘଟଣା ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ସହ ଘଟିଛି। ଏହା ପୂର୍ବରୁ ସେ ଭାରତୀୟ ଦଳ ସହ ନ୍ୟୁଜିଲାଣ୍ଡରେ ଥିଲେ। ଏଠାରୁ ସେ ସିଧାସଳଖ ଢାକାରେ ପହଞ୍ଚିଛନ୍ତି। ବାଂଲାଦେଶ ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ତେବେ ବିମାନରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ସେ କହିଛନ୍ତି।

ଦୀପକ ଚହର ଟ୍ଵିଟ୍ କରି ଖୋଦ୍ ଏହାର ସୂଚନା ଦେଇଛନ୍ତି। ସେ ମାଲେସିଆ ଏୟାରଲାଇନ୍ସରେ ବିଜନେସ୍ କ୍ଲାସରେ ଯାତ୍ରା କରି ଢାକା ପହଞ୍ଚିଛନ୍ତି। ଏହି ସମୟରେ ବିମାନରେ ତାଙ୍କୁ ଖାଇବା ବି ଦିଆଯାଇନଥିଲା। ସବୁଠୁ ବଡ କଥା ଏୟାରଲାଇନ୍ସରେ ସେ ନିଜର ଜିନିଷ ମଧ୍ୟ ହରାଇଛନ୍ତି। ରବିବାର ଦିନିକିଆ ସିରିଜର ପ୍ରଥମ ଦିନିକିଆ ଖେଳାଯିବ। ୨୪ ଘଣ୍ଟା ହେବ ସେ ନିଜ ସାମଗ୍ରୀ ଅପେକ୍ଷାରେ ରହିଛନ୍ତି। ଏମିତିରେ ସେ ପ୍ରଥମ ଦିନିକିଆ ପାଇଁ କେମିତି ପ୍ରସ୍ତୁତି କରିବେ ସେ ନେଇ ପ୍ରଶ୍ନ ଉଠିଛି।

ଦୀପକ ଚହର ଟ୍ଵିଟ୍ କରି ଲେଖିଛନ୍ତି, ମାଲେସିଆ ଏୟାରଲାଇନ୍ସରେ ଯାତ୍ରା କରିବା ବହୁତ ଖରାପ ଅନୁଭବ ରହିଛି। ପ୍ରଥମ କଥା ଆମକୁ କିଛି ନଜଣାଇ ବିମାନ ପରିବର୍ତ୍ତନ କଲେ। ବିଜନେସ୍ କ୍ଲାସରେ ଖାଇବାକୁ ବି ଦେଲେନି। ଏବେ ମୁଁ ଗତ ୨୪ ଘଣ୍ଟା ଧରି ନିଜ ସାମଗ୍ରୀର ଅପେକ୍ଷା କରୁଛି। ଚିନ୍ତା କରନ୍ତୁ କାଲି ମୋତେ ମ୍ୟାଚ୍ ଖେଳିବାର ଅଛି।

ଭାରତୀୟ କ୍ରିକେଟରଙ୍କ ଅଭିଯୋଗ ପାଇଁ ମାଲେଆଇ ଏୟାରଲାଇନ୍ସ ଏକ ଲିଙ୍କ ପଠାଇଛି। ତେବେ ଏହି ଲିଙ୍କ୍ ଖୋଲୁନଥିବା ଦୀପକ ଚହର କହିଛନ୍ତି। ମାଲେସିଆ ଏୟାରଲାଇନ୍ସ ଏହାର ଜବାବରେ ଲେଖିଛି ଯେ, ପରିଚାଳନା, ପାଣିପାଗ ସଂପର୍କିତ ଏବଂ ଯାନ୍ତ୍ରିକ ତ୍ରୁଟି କାରଣରୁ ଏମିତି ହୋଇଥାଇପାରେ। ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ସିରିଜ୍ ସରିବା ପରେ ଦୀପକ ଚହର, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଶିଖର ଧାଓ୍ଵନ, ଶୁଭମାନ ଗିଲ୍ ଏବଂ ଓ୍ଵାଶିଂଟନ ସୁନ୍ଦର ଢାକା ପହଞ୍ଚିଛନ୍ତି। ଏହି ସମସ୍ତ ଖେଳାଳି ଖ୍ରୀଷ୍ଟଚର୍ଚ୍ଚରୁ କୁଆଲାଲମ୍ପୁର ଦେଇ ଢାକା ପହଞ୍ଚିଛନ୍ତି।

ସୂର୍ଯ୍ୟକୁମାର ଯାଦବ ଏବଂ ଉମରାନ ମଲିକଙ୍କୁ ବାଂଲାଦେଶ ଗସ୍ତରେ ବିଶ୍ରାମ ଦିଆଯାଇଛି। ତେଣୁ ଦୁଇ ଖେଳାଳି ସିଧାସଳଖ ଭାରତ ପହଞ୍ଚିଛନ୍ତି। ତେବେ ଉମରାନଙ୍କୁ ଏବେ ପୁଣି ବାଂଲାଦେଶ ଗସ୍ତ କରିବାକୁ ପଡିବ। କାରଣ ଆହତ କାରଣରୁ ମହମ୍ମଦ ଶାମି ଦିନିକିଆ ସିରିଜ୍‌ରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଉମରାନ ମଲିକଙ୍କୁ ଦଳରେ ସାମିଲ୍ କରାଯାଇଛି।

Related Posts