ଅଫଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିବା ପଡ଼ିଲା ମହଙ୍ଗା; ଚନ୍ଦ୍ରଶେଖର ଡିଏଭି ସ୍କୁଲ କତ୍ତୃପକ୍ଷଙ୍କୁ ଜାରି ହେଲା କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ତଥାପି ସଂକ୍ରମଣ ଭୟରେ ବିଦ୍ୟାଳୟ ଗୁଡ଼ିକରେ କଟକଣା ଲାଗିରହିଛି । ଏହା ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିଥିବାରୁ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠିତ ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କରୋନା କାଳରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ମନମୁଖୀ ନିଷ୍ପତ୍ତି ନେଇଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ୨୪ଘଣ୍ଟା ମଧ୍ୟରେ ଲିଖିତ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲ କର୍ତ୍ତୃପକ୍ଷ ଆସନ୍ତା ୧୨ତାରିଖରୁ ହେବାକୁ ଥିବା ପରୀକ୍ଷାରେ ଅଫଲାଇନ ମୋଡରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ନୋଟିସ୍ ଜାରି କରିଥିଲେ । ଏନେଇ ଅଭିଭାବକମାନଙ୍କ ଅଭିଯୋଗ ପରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଆଜି ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଅଧ୍ୟକ୍ଷଙ୍କୁ ନୋଟିସ୍ ପଠାଇ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନକୁ କାହିଁକି ଉଲ୍ଲଘଂନ କରାଗଲା ତା’ର ଜବାବ ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧୦ତାରିଖ ସୁଦ୍ଧା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସାହୁ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, କରୋନା ମହାମାର ପ୍ରଭାବ ଯୋଗୁ ଗତ ଦୁଇବର୍ଷ ଧରି ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା ।

ମହାମାରୀ ପ୍ରଭାବ କମିବା ପରେ ଫେବୃୟାରୀ ୭ରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ସ୍କୁଲ ଖୋଲିଛି । ୧୪ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନ ଧରି ଅଫଲାଇନ୍ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକସ୍ତରରେ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଫେବୃୟାରୀ ୩ତାରିଖରେ ସ୍କୁଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁସାରେ ଅଫଲାଇନ, ଅନଲାଇନ୍ କିମ୍ବା ହାଇବ୍ରିଡ୍ ମୋଡରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା । ସେହିପରି ସ୍କୁଲ ଓ ଗଣଶିକ୍ଷା ସଚିବ ମଧ୍ୟ ଫେବୃୟାରୀ ୩ରେ ସ୍କୁଲଗୁଡ଼ିକ ନିମନ୍ତେ ଏକ ଚିଠି ଲେଖି ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ଯେକୌଣସି ମୋଡରେ ପରୀକ୍ଷା ଦେବା ନିମନ୍ତେ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶର ଅବମାନନା କରି ଫେବୃୟାରୀ ୧୨ରୁ ହେଉଥିବା ପରିୟଡ୍ ଆସେସମେଣ୍ଟ ପରୀକ୍ଷାକୁ ଅଫଲାଇନ ମୋଡରେ କରିବା ପାଇଁ ବାଧ୍ୟ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର କାରଣଦର୍ଶାଅ ନୋଟିସ ଜାରି କରିବା ସହ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଇପାରେ କହିଛନ୍ତି ।

Related Posts