ଆଜିଠୁ ଆରମ୍ଭ ‘ସୁଭଦ୍ରା’ ଫର୍ମ ସଂଗ୍ରହ; ସବୁ ଯୋଗ୍ୟ ମହିଳା ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର,୪/୯(ସତ୍ୟପାଠ ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା ପାଇଁ ଫର୍ମ ସଂଗ୍ରହ । ଆସନ୍ତା ୧୭ ରେ ମିଳିବ ଏହାର ପ୍ରଥମ କିସ୍ତି। ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବେ । ରାଜ୍ୟସ୍ତରୀୟ ସମାରୋହ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଜିଠୁ ଆବେଦନକାରୀଙ୍କ ଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଭାବେ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ସଂଗ୍ରହ କରାଯିବ ।

ଅନ୍ୟପଟେ ସୁଭଦ୍ରା ଯୋଜନା ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଏକ ୱେବ୍ ପୋଟାଲର ଶୁଭାରମ୍ଭ କରାଯାଇଛି । www.subhadra.odisha.gov.in ରେ ଲଗଇନ୍ କଲେ ସୁଭଦ୍ରା ଯୋଜନା ସମ୍ପର୍କୀତ ସମସ୍ତ ପ୍ରଶ୍ନର ଉତ୍ତର ମିଳିବ । ଯୋଜନା ସମ୍ପର୍କୀତ ନୂଆ ଘୋଷଣା ମଧ୍ୟ ୱେବ ପୋଟାଲରେ ଉପଲବ୍ଧ ହେବ । ଏହାଛଡ଼ା ଟୋଲ ଫି ନମ୍ବର ୧୪୬୭୮ରେ କଲ୍ କରିହେବ । ଏହା ସକାଳ ୬ଟାରୁ ରାତି ୧୦ଟା ଯାଏ କାର୍ଯ୍ୟକ୍ଷମ ରହିବ । ତେବେ ପ୍ରଥମ କିସ୍ତିରେ ସମସ୍ତ ଆବେଦନକାରୀ ମହିଳାଙ୍କୁ ଏହି ଟଙ୍କା ମିଳିବନି । କେବଳ ୧୦ରୁ ୨୦ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି

Related Posts