ଜମ୍ମୁ(ସତ୍ୟପାଠବ୍ୟୁରୋ): ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ଼ ଅଭିଯାନ । ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର କମାଣ୍ଡର ହାଶିମ ମୂସା ନିହତ ହୋଇଛି । ଜମ୍ମୁ-କଶ୍ମୀରର ବଡଗାମ ଜିଲ୍ଲାର ୟୁସମର୍ଗ ଅଞ୍ଚଳରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା ମିଳିଛି । ଲଶ୍କର-ଏ-ତୈବାର ଟପ୍ କମାଣ୍ଡର ଭାବେ ପରିଚିତ ହାଶିମ ମୂସା ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟବେଳେ ନିହତ ହୋଇଥିବା ସୂଚନା ମିଳିଛି। ସେପ୍ଟେମ୍ବର ୨୯ ତାରିଖ ରାତିରୁ ୟୁସମର୍ଗର କୋରାଗ ଅଞ୍ଚଳରେ ସ୍ଥାନୀୟ ପୁଲିସ ସହ ମିଶି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି ଭାରତୀୟ ସେନା । ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ CRPFକୁ ମିଳିଥିବା ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ଏହି ଯୁଗ୍ମ ଛାନବିନ ଅଭିଯାନ ଆରମ୍ଭ ହୋଇଛି । ଏହି ସମୟରେ ସୁରକ୍ଷାବଳ ସନ୍ଦିଗ୍ଧ ଗତିବିଧି ଦେଖିଥିଲେ । ଏହାପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା । ପରେ ତାଙ୍କ ପରିଚୟ ହାଶିମ ମୂସା ଭାବେ କରାଯାଇଥିଲା ।

ରିପୋର୍ଟ ଅନୁସାରେ, ମୂସା ପୂର୍ବରୁ ସେପ୍ଟେମ୍ବର ୫ରେ ୟୁସମର୍ଗ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ଏକ ମୁକାବିଲାରୁ ଖସି ପଳାଇଥିଲା । ସେହି ଘଟଣାରେ ତା’ର ଘନିଷ୍ଠ ସହଯୋଗୀ ୟାସିର ନିହତ ହୋଇଥିବା ଅଧିକାରୀମାନେ କହିଥିଲେ । ଏହାପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ମୂସାଙ୍କୁ ଖୋଜୁଥିଲେ। ମୂସା ନିହତ ହେବା ପରେ ମଧ୍ୟ ୟୁସମର୍ଗ ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାବଳଙ୍କ ତଲାସୀ ଜାରି ରହିଛି । ଆଉ କୌଣସି ଆତଙ୍କବାଦୀ ଲୁଚି ରହିଛନ୍ତି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି । ସେନା ପକ୍ଷରୁ ଏହି ଅଭିଯାନକୁ ‘ଅପରେସନ କୋରାଗ’ ବୋଲି କୁହାଯାଇଛି। ଚଳିତ ସେପ୍ଟେମ୍ବରରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଲଗାତାର ଜାରି ରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁତ୍ୱ ବହନ କରୁଛି ।