ସୁନ୍ଦରଗଡ଼, (ସତ୍ୟପାଠବ୍ୟୁରୋ): ବେଆଇନ ମଦ କାରବାର ‌ଉପରେ ଚଢ଼ଉ ସମୟରେ ସୁନ୍ଦରଗଡ଼ ଅବକାରୀ ବିଭାଗର କର୍ମଚାରୀଙ୍କୁ ମଦମାଫିଆଙ୍କ ଗୁଣ୍ଡା ଆକ୍ରମଣ କରିଛନ୍ତି। ଅବକାରୀ ବିଭାଗର ଗାଡ଼ି ଭାଙ୍ଗିରୁଜା କରିଥିବାବେଳେ କର୍ମଚାରୀଙ୍କ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ। ଆକ୍ରମଣରେ ଜଣେ ଅବକାରୀ ଏଏସ୍‌ଆଇ ଆହତ ହୋଇଛନ୍ତି। ଏହାପରେ ପୋଲିସ ପଦକ୍ଷେପ ନେଇ ୫ଜଣଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି, ମାନମୁଣ୍ଡା ଓ ଧାଉଁଲାଖମାନ ଅଞ୍ଚଳରେ ଅବକାରୀ ଟିମ୍‌ ଚଢ଼ଉ କରିବାକୁ ଯାଇଥିଲେ। ଏହି ସମୟରେ ମଦମାଫିଆଙ୍କ ଗୁଣ୍ଡାମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏହାର ପ୍ରତିରୋଧ କରିବାରେ ଠେଙ୍ଗା, ଢେଲା ଆଦିରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ମହିଳା ଅବକାରୀ ଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି।  ତାଙ୍କୁ ଚିକିତ୍ସା ପାଇଁ  ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ପ୍ଲାଟୁନ୍‌ ସଶସ୍ତ୍ର ପୋଲିସ ବାହିନୀ ସହ ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର, ଧରୁଆଡିହି ଥାନା ଅଧିକାରୀ ଅଶୋକ କୁମାର ଦାସ, ଭସ୍ମା ଥାନା ଅଧିକାରୀ ଅମର ହୋତାଙ୍କ ସମେତ ଅବକାରୀ କର୍ମଚାରୀମାନେ ଚଢ଼ଉ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୫ଟି ମୋଟରସାଇକଲ ମଧ୍ୟ ଜବତ କରାଯାଇଛି। ତେବେ ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଓ  ସେମାନେ କେଉଁଠାରେ ଅଛନ୍ତି, ସେନେଇ ପୋଲିସ ତନାଘନା  ଜାରି ରଖିଛି। ଆଗକୁ ଆହୁରି ଗିରଫ ହୋଇପାରନ୍ତି ବୋଲି ପୋଲିସ କହିଛି।