ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ ଏବେ ଜର୍ମାନୀରେ ପିଜା ବିକ୍ରି କରୁଛନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଦିନ ଥିଲା ସେ ଆଫଗାନିସ୍ତାନର ଯୋଗାଯୋଗ ମନ୍ତ୍ରୀ ଥିଲେ। କାବୁଲରେ ଥିଲା ମନ୍ତ୍ରୀଙ୍କ ଦବଦବା। ଏବେ ଦେଶଛାଡି ଜର୍ମାନୀରେ ପିଜା ବିକ୍ରି କରି ଜୀବନ ବିତାଉଛନ୍ତି। ଆଫଗାନିସ୍ତାନର ପୂର୍ବତନ ସଂଚାର (ଯୋଗାଯୋଗ) ମନ୍ତ୍ରୀ ସୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ ଜଣେ ସାଧାରଣ ଲୋକଙ୍କ ପରି ଜୀବନ ବିତାଉଛନ୍ତି।  ସେ ଜର୍ମାନୀର ଲିପିଜିଗରେ ଡିଲେଭରୀ ବଏ ଭାବରେ କାର୍ଯ୍ୟ କରୁଛନ୍ତି। ଲିପିଜିଗର ଭୋଲକ୍ସଜାଇଟଙ୍ଗ ନ୍ୟୁଜ ରିପୋର୍ଟରେ ଏହି ଖବର ପ୍ରକାଶ ପାଇଛି। ଜର୍ମାନୀରେ ପିଜା ଏବଂ ଅନ୍ୟାନ୍ୟ ଫୁଡ୍ ସପ୍ଲାଏ କରି ସେ ରୋଜଗାର କରୁଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ସାଦତ ଆଫଗାନିସ୍ତାନ ସରକାରରେ ୨୦୧୮ ପର୍ଯ୍ୟନ୍ତ ମନ୍ତ୍ରୀ ଥିଲେ। ଗତ ବର୍ଷ ସେ ଅବସର ନେଇ ଜର୍ମାନୀ ଚାଲିଯାଇଥିଲେ। ସେଠାରେ ସେ କିଛି ଦିନ ବିତାଇଥିଲେ, କିନ୍ତୁ ଯେତେବେଳେ ଟଙ୍କା ସରିଗଲା, ସମସ୍ୟା ଆରମ୍ଭ ହେଲା। ବର୍ତ୍ତମାନ, ସାଦତ ଏକ ପିଜା ଡେଲିଭରୀ ବାଏ ଭାବରେ କାମ କରି ଜୀବନ ବିତାଉଛନ୍ତି। ସେ ନିଜ ସାଇକେଲରେ ସହରର ବିଭିନ୍ନ ସ୍ଥାନକୁ ବୁଲି ବୁଲି ଲୋକଙ୍କ ଘରେ ଖାଦ୍ୟ ବିତରଣ କରୁଛନ୍ତି ।

ଭବିଷ୍ୟତରେ, ସାଦତ ୟୁରୋପର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ଟେଲିକମ୍ କମ୍ପାନୀରେ କାମ କରିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ ପୂର୍ବତନ ମନ୍ତ୍ରୀ କୁହନ୍ତି, ‘ବର୍ତ୍ତମାନ ମୁଁ ଏକ ସରଳ ଜୀବନ ବିତାଉଛି।  ମୁଁ ଜର୍ମାନୀରେ ନିଜକୁ ସୁରକ୍ଷିତ ମଣୁଛି । ଲିପିଜିଗରେ ମୋ ପରିବାର ସହିତ ଥିବାରୁ ମୁଁ ଖୁସିରେ ଅଛି । ମୁଁ ଆଗକୁ ଅଧ୍ୟୟନ କରିବାକୁ ଚାହୁଁଛି ।’  ସେ ଆହୁରି ମଧ୍ୟ କହିଥିଲେ ଯେ , ‘ମୁଁ ଅନେକ ଚାକିରି ପାଇଁ ଆବେଦନ କରିଥିଲି କିନ୍ତୁ କୌଣସି ପ୍ରତିକ୍ରିୟା ଆସି ନଥିଲା।  ମୋର ସ୍ୱପ୍ନ ହେଉଛି ଜର୍ମାନ ଟେଲିକମ୍ କମ୍ପାନୀରେ କାମ କରିବା ।

ତାଲିବାନ ଉପରେ ମନ୍ତବ୍ୟ ଦେବାକୁ ମନା କରି ଦେଲେ 

ଆଫଗାନିସ୍ତାନର ପୂର୍ବତନ ଯୋଗାଯୋଗ ମନ୍ତ୍ରୀ ଅକ୍ସଫୋର୍ଡ ୟୁନିଭରସିଟିରୁ ଦୁଇ ଦୁଇଟି ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି, ଗୋଟିଏ ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂ ଏବଂ ଅନ୍ୟଟି ଯୋଗାଯୋଗରେ। ସାଦତ ୧୩ ଟି ଦେଶରେ ୨୦ ରୁ ଅଧିକ ଯୋଗାଯୋଗ ସମ୍ବନ୍ଧୀୟ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି।  ଯୋଗାଯୋଗ କ୍ଷେତ୍ରରେ ତାଙ୍କର ୨୩ ବର୍ଷର ଅଭିଜ୍ଞତା ଅଛି। ଖବର ଅନୁଯାୟୀ, ସେ ଆଫଗାନିସ୍ତାନରେ ଯୋଗାଯୋଗ ସମ୍ବନ୍ଧୀୟ ପ୍ରସଙ୍ଗରେ ସାହାଯ୍ୟ କରିବାକୁ ଯାଇଥିଲେ କିନ୍ତୁ ଆଶରଫ ଘାନିଙ୍କ ସହ ମତଭେଦ ଥିବାରୁ ସେ ଇସ୍ତଫା ଦେଇଥିଲେ।  ଘାନି ସରକାରଙ୍କ ପତନକୁ ଭୟ କରୁଥିବା ସେ କହିଛନ୍ତି ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ।

Related Posts