ପୌର ନିର୍ବାଚନ ବିଳମ୍ବ ମାମଲା : ୪ ସପ୍ତାହ ମଧ୍ୟରେ ଜବାବ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଆସନ୍ତା ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଙ୍ଗରେ ଦାୟର ହୋଇଥିବା ତିନୋଟି ପୃଥକ ମାମଲାର ଏକତ୍ର ଶୁଣାଣି କରିଛନ୍ତି ହାଇକୋର୍ଟ । ଶୁଣାଣି ପ‌ରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । କଟକରୁ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ପାଇଁ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ଭୁବେନଶ୍ୱର  ମହାନଗର ନିଗମ ପାଇଁ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ଏହି ଆବେଦନ ଦାୟର କରାଯାଇଥିଲା। 

ଏହି ଆବେଦନ ଗୁଡିକୁ ବିଚାର ପାଇଁ ଗ୍ରହଣ କରିବା ସହ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ୪ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନ ଗୁଡିକରେ କଟକ, ପୁରୀ ଓ ଭୁବନେଶ୍ବରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା।  ପୌରାଞ୍ଚଳ ନିର୍ବଚନର କାର୍ଯ୍ୟକାଳ ୨୦୧୯ରୁ ଶେଷ ହୋଇଯାଇଛି। ତେଣୁ ଜନପ୍ରତିନିଧିଙ୍କ ଦ୍ବାରା ଯେଉଁ ସଂସ୍ଥା ଗୁଡ଼ିକ ପରିଚାଳିତ ହେବା କଥା ତାକୁ ଏବେ ସରକାରୀ ଅଧିକାରୀମାନ ଚଳାଉଛନ୍ତି। 

ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବା କଥା। କିନ୍ତୁ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବାର ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ। ଆବେଦନକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। 

ତେବେ ବୁଧବାର ଅର୍ଥାତ୍ ଆଜି ହାଇକୋର୍ଟରେ ଏହି ମାମଲାର ପ୍ରାଥମିକ ଶୁଣାଣି ହୋଇଛି। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ପାଇଁ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ବର୍ତ୍ତମାନ ସୁଦ୍ଧା ନିର୍ବାଚନ କରାଯାଇ ନାହିଁ ଏବଂ କେବେ ସୁଦ୍ଧା ନିର୍ବାଚନ ହେବ ଏ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ଉଚ୍ଚ ନ୍ୟାୟାଳୟ। 

Related Posts