
ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): କଂଗ୍ରେସରେ ଯୋଗଦେଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଙ୍ଗଠନ ମହାସଚିବ କେସି ବେଣୁଗୋପାଲ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ଦୀର୍ଘ ଦିନ ଧରି ସେ କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ସେ ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ।

କଂଗ୍ରେସରେ ସାମିଲ ହେବା ଅବସରରେ ବିଜୟ କହିଛନ୍ତି ଯେ, ଦୀର୍ଘ ୪୦ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ମୁଁ ବ୍ୟବାହର କରିବି । ଓଡ଼ିଶାବାସୀଙ୍କ ପାଇଁ କିଛି କରିବାକୁ ମୋର ବହୁତ ଆଶା ରହିଛି । ଓଡ଼ିଶାରେ ପ୍ରଶାସନ ଲୋକଙ୍କଠାରୁ ଦୂରରେ ରହିଛି। ଓଡ଼ିଶାରେ କୁଶାସନ ଚାଲିଛି । ଲୋକେ ସମସ୍ୟା ନେଇ କାହା ପାଖକୁ ଯିବେ ତାହା ଜାଣି ପାରୁନାହାନ୍ତି। ପ୍ରଶାସନ ଯେଭଳି ଲୋକଙ୍କ ପାଖରେ ପହଞ୍ଚିବ ତା ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ । ଏହା ମୋର ଚେଷ୍ଟା ରହିବ ବୋଲି ବିଜୟ କହିଛନ୍ତି । ସେହିଭଳି ବିଧାୟକ ନା ସାଂସଦ ପାଇଁ ଲଢ଼ିବେ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହି ନିଷ୍ପତ୍ତି ମୁଁ ଏଆଇସିସି ଉପରେ ଛାଡ଼ିଛି।
ତେବେ ୧୯୭୬ ବ୍ୟାଚର ଆଇଏଏସ୍ ଅଧିକାରୀ ବିଜୟ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ଏହାପରେ ସେ ୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିଥିଲେ। ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନର ଅଧ୍ୟକ୍ଷ କରାଗଲା। ପରେ ପରେ ତାଙ୍କୁ ମାନବାଧିକାର କମିସନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା। ସେ ୨୦୧୫ ଏପ୍ରିଲରେ ସେଠାରୁ ଇସ୍ତଫା ଦେଇଥିଲେ।ରାଜନୀତିରେ ଯୋଗ ଦେବେ ବୋଲି ସରକାରୀ ପଦବୀରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ସେ ସମସ୍ତଙ୍କୁ ଚକିତ କରି ବେଦାନ୍ତରେ ଯୋଗ ଦେଇଥିଲେ। ପୁଣି ବେଦାନ୍ତ ବିଶ୍ୱବିଦ୍ୟାଳୟ ପରି ଏକ ବିବାଦୀୟ ପ୍ରକଳ୍ପର ମୁଖ୍ୟ ଭାବେ ଦାୟିତ୍ୱ ବି ନେଲେ। ଏହାପରେ ସେ ୨୦୧୭ରେ ବେଦାନ୍ତ ଛାଡ଼ିଦେଇଥିଲେ।
ତେବେ ୨୦୨୨ ମସିହା ମେ ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନଥିବା ଗଣମାଧ୍ୟମକୁ କହିଥିଲେ ।