
ଭୁବନେଶ୍ୱର,୨/୪ (ସତ୍ୟପାଠ ବ୍ୟୁରୋ): ୧୯୬୦ ଦଶକର ଭାରତୀୟ କ୍ରିକେଟ୍ର ଷ୍ଟାଇଲିସ୍ ଅଲ୍-ରାଉଣ୍ଡର୍ ସଲିମ୍ ଦୁରାନିଙ୍କର ଆଜି ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁଜରାଟର ଜାମନଗରଠାରେ ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ପାଖରେ ରହୁଥିଲେ।ଚଳିତ ବର୍ଷ ଜାନୁଆରି ମାସରେ ପଡ଼ିଯାଇ ଦୁରାନିଙ୍କ ଜଙ୍ଘ ହାଡ଼ ଭାଙ୍ଗିଯିବାରୁ ତାଙ୍କ ଗୋଡ଼ରେ ‘ପ୍ରକ୍ସିମାଲ୍ ଫିମୋରାଲ୍ ନେଲ୍ ଜର୍ଜରି’ କରାଯାଇଥିଲା।
କାବୁଲ୍ରେ ଜନ୍ମିତ ଦୁରାନି ଭାରତ ପାଇଁ ୨୯ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୧୯୬୧-୬୨ରେ ଅନୁଷ୍ଠିତ ସ୍ମରଣୀୟ ‘୫-ମ୍ୟାଚ୍ ଟେଷ୍ଟ୍ ସିରିଜ୍’ରେ ଇଂଲଣ୍ଡ୍କୁ ୨-୦ରେ ପରାସ୍ତ କରାଇବାରେ ସେ ଭାରତୀୟ ଦଳ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କାଲ୍କାଟା ଓ ମାଡ୍ରାସ୍ରେ ଅନୁଷ୍ଠିତ ସେହି ସିରିଜ୍ରେ ବାମହାତି ବୋଲର୍ ଦୁରାନି ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ହାସଲ୍ କରିଥିଲେ।
ଏହାର ଏକ ଦଶନ୍ଧି ପରେ ପୋର୍ଟ ଅଫ୍ ସ୍ପେନ୍ରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ଭାରତକୁ ବିଜୟୀ କରାଇବାରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ମ୍ୟାଚ୍ରେ ଦୁରାନି କ୍ଲାଇବ୍ ଲିୟଡ୍ ଓ ସାର୍ ଗେର୍ଫିଲଡ୍ ସବର୍ସଙ୍କୁ ଆଉଟ୍ କରିଥିଲେ।
ତେବେ ନିଜର ଆକର୍ଷଣୀୟ ବେଶ-ପୋଷାକ, ଷ୍ଟାଇଲ୍ ଓ ସ୍ମାର୍ଟନେସ୍ ପାଇଁ ସୁପରିଚିତ ଦୁରାନି ଭାରତ ପାଇଁ ଖେଳିଥିବା ୫୦ ଇନିଙ୍ଗ୍ସ୍ରେ ମାତ୍ର ଗୋଟିଏ ଶତକ ହାସଲ କରିଥିଲେ ମଧ୍ୟ ୫୦ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ସେ ସମୁଦାୟ ୧,୨୦୨ ରନ୍ ସଂଗ୍ରହ କରିଥିଲେ ।
ଅନ୍ୟପଟେ ଦୁରାନି ୧୯୭୩ରେ ମୁକ୍ତିଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର ‘ଚରିତ୍ର’ରେ ସେ ପ୍ରଖ୍ୟାତ ଅଭିନେତ୍ରୀ ପର୍ୱିନ୍ ବାବିଙ୍କ ସହିତ ଅଭିନୟ ମଧ୍ୟ କରିଥିଲେ।
ତାଙ୍କ ବିୟୋଗରେ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତର ବହୁ ବର୍ତ୍ତମାନ ଓ ପୂର୍ବତନ କ୍ରିକେଟ୍ ଖେଳାଳି ଦୁରାନିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।