କଲମ୍ବୋ: ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରିବାକୁ ‘ଗ୍ରିନ୍‌ କାର୍ଡ’ ପାଇଁ ଆବେଦନ କରିଛନ୍ତି ସରକାର ବିରୋଧୀ ପ୍ରତିବାଦ ବେଳେ ବିଦେଶକୁ ଖସି ପଳାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଏନେଇ ଗୁରୁବାର ଦିନ ଏକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

‘ଗ୍ରିନ୍‌ କାର୍ଡ’ ମିଳିବା ପରେ ଗୋଟାବାୟା, ତାଙ୍କ ପତ୍ନୀ ଓ ପୁତ୍ର ସ୍ଥାୟୀ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ରହିବେ। ଏ ସଂକ୍ରାନ୍ତରେ ଶ୍ରୀଲଙ୍କୀୟ ସମ୍ବାଦପତ୍ର ‘ଡେଲି ମିରର୍‌’ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ରାଜପକ୍ଷେଙ୍କ ଓକିଲ ‘ଗ୍ରିନ୍‌ କାର୍ଡ’ ପାଇଁ ଗତ ମାସରୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ଲୋମା ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକ ହୋଇଥିବାରୁ ‘ଗ୍ରିନ୍‌ କାର୍ଡ’ ପାଇଁ ଆବେଦନ କରିବା ଲାଗି ଗୋଟାବାୟାଙ୍କର ଯୋଗ୍ୟତା ଅଛି।

୨୦୧୯ ରାଷ୍ଟ୍ରପତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ରାଜପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକତ୍ବ ପରିତ୍ୟାଗ କରିଥିଲେ।

ସୂଚନାଯୋଗ୍ୟ, ୧୯୮୮ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲିଯିବାର ପୂର୍ବରୁ ଶ୍ରୀଲଙ୍କା ସେନାରେ ଚାକିରି କରୁଥିବା ରାଜପକ୍ଷେ ଅବସର ଗ୍ରହଣ ସମୟ ପୂର୍ବରୁ ଅବସର ନେଇ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ଚାଲିଯାଇଥିଲେ। ଏହାପରେ. ୨୦୦୫ରେ ସେ ଶ୍ରୀଲଙ୍କାକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏବେ ଯୁକ୍ତରାଷ୍ଟ୍ର ଆମେରିକାର ‘ଗ୍ରିନ୍‌ କାର୍ଡ’ ପାଇଁ ଆବଶ୍ୟକ ଅତିରିକ୍ତ କାଗଜପତ୍ର କଲମ୍ବୋରେ ଥିବା ତାଙ୍କ ଓକିଲ ଦାଖଲ କରୁଛନ୍ତି ବୋଲି ଉକ୍ତ ସମ୍ବାଦପତ୍ର ରିପୋର୍ଟରେ ଉଲ୍ଲେଖ ଅଛି।

ସମ୍ପ୍ରତି ବ୍ୟାଙ୍ଗ୍‌କକ୍‌ରେ ଏକ ହୋଟେଲ୍‌ରେ ରହୁଥିବା ୭୩ ବର୍ଷିୟ ରାଜପକ୍ଷେ ପତ୍ନୀଙ୍କ ସହିତ ଅଗଷ୍ଟ ୨୫ ତାରିଖରେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବେ। ଅନ୍ୟୂନ ନଭେମ୍ବର ପର୍ଯ୍ୟନ୍ତ ଥାଇଲାଣ୍ଡ୍‌ରେ ରହିବେ ବୋଲି ପ୍ରଥମେ ସେ ଯେଉଁ ଯୋଜନା କରିଥିଲେ ବାତିଲ କରାଯାଇଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ କୁହାଯାଇଛି ।