ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦଳରୁ ବହିଷ୍କୃତ, ବିଜେପିରୁ ଲଢ଼ିବେ ନିର୍ବାଚନ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତାଙ୍କର ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡ ରାଜନୀତି ବେଶ ସରଗରମ ହୋଇ ଉଠିଛି । ସେପଟେ କଂଗ୍ରେସ ଦଳରୁ ବହିଷ୍କାର କରାଯିବା ପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ପ୍ରହ୍ଲାଦ ଯୋଶୀ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କିଶୋର ଉପାଧ୍ୟାୟ ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟପଟେ ୨୦୦୨ ମସିହା ଏବଂ ୨୦୦୭ ମସିହାରେ ସେ ଜିତିଥିବା ତେହେରୀ ବିଧାନସଭା ଆସନରୁ ବିଜେପି ତାଙ୍କୁ ଟିକେଟ ଦେଇପାରେ ବୋଲି ଅନୁମାନ କରାଯାଉଛି । ଉପାଧ୍ୟାୟଙ୍କୁ ପୂର୍ବରୁ କଂଗ୍ରେସ ସମସ୍ତ ପାର୍ଟି ପଦରୁ ହଟାଇ ଦେଇଥିଲା । ଦଳ ବିରୋଧୀ କାର୍ଯ୍ୟକଳାପ ଓ ବିରୋଧୀ ଦଳ ସହ ମିଶିବା ଅଭିଯୋଗରେ ଉପାଧ୍ୟାୟଙ୍କୁ ୬ ବର୍ଷ ଦଳରୁ ବହିଷ୍କୃତ କରାଯାଇଛି । ସେପଟେ ତାଙ୍କ ପୂର୍ବରୁ ବିଜେପି ମନ୍ତ୍ରୀ ହରକ ସିଂହ ରାୱତଙ୍କୁ ବିଜେପି ବହିଷ୍କୃତ କରିଥିଲା । ଏହା ପରେ ସେ ପୁଣିଯାଇ କଂଗ୍ରେସରେ ଯୋଗ ଦେଇଥିଲେ ।

Related Posts