ଉତ୍ତରାଖଣ୍ଡ ପଲିଟିକ୍ସ; ବଦଳିଲା ନିର୍ବାଚନୀ ମଣ୍ଡଳୀ; ରାମନଗର ବଦଳରେ ଲାଲକୂଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ହରିଶ ରାୱତ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ କିଛି ଦିନ ପୂର୍ବରୁ ଉତ୍ତରାଖଣ୍ଟ ବିଧାନସଭା ପାଇଁ କଂଗ୍ରେସ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲା । ଯେଉଁଥିରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ରାୱତ ରାମନଗର ବଦଳରେ ଲାଲକୂଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ସେପଟେ ତାଙ୍କ ଝିଅ ଅନୁପମା ରାୱତଙ୍କୁ ହରିଦ୍ୱାର ଗ୍ରାମୀଣ ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ଲଢ଼ିବାର କଥା ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

କାହିଁକିନା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀମାନଙ୍କର ନିର୍ବାଚନମଣ୍ଡଳୀକୁ ପରିବର୍ତ୍ତନ କରିଛି । ସେହିପରି ମହେଶ ଶର୍ମାଙ୍କୁ କାଲାଢ଼ୁଙ୍ଗୀ ଓ ମହେନ୍ଦ୍ର ପାଲ ସିଂହଙ୍କୁ ରାମନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଫେବୃଆରୀ ୧୪ ତାରିଖରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ସାମ୍ନାକୁ ଆସିବ । ସେପଟେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଜାନୁଆରୀ ୨୯ ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ ଏବଂ ଜାନୁୟାରୀ ୩୧ ପର‌୍ୟ୍ୟନ୍ତ ନାମ ପ୍ରତ୍ୟାହାର କରାଯାଇପାରିବ ବୋଲି ସୂଚନା ମିଳିଛି ।

Related Posts