ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ପୁଣି ଜଣେ ଅଭିଯୁକ୍ତ ଗିରଫ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିଲା | କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ରବିବାର ଏହି ଘଟଣାରେ ଅନ୍ୟ ଏକ ଅଭିଯୁକ୍ତକୁ ଗିରଫ କରିଛି । ଫଳରେ ଏହି ଘଟଣା ସହିତ ସଂପୃକ୍ତ ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ସିବିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୋଗତୁଇ ଗାଁ ନିବାସୀ ସମୀର ଶେଖ ନାଁରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତକୁ ସିବିଆଇ ରବିବାର ସକାଳୁ ପଚରାଉଚରା ପାଇଁ ଡାକିଥିଲା ।

ସିବିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଯେତେବେଳେ ଆମେ ପ୍ରତକ୍ଷ୍ୟଦର୍ଶୀଙ୍କ ସହିତ କଥା ହେଲୁ ସଂପୃକ୍ତ ଅଭିଯୁକ୍ତଙ୍କର ନାଁ ଆସିଥିଲା । ଅଭିଯୁକ୍ତ ଜଣକ ଆଜି ଭିନ୍ନ ଭିନ୍ନ ବୟାନ ଦେଇଥିଲା । ଆମକୁ ଭୁଲାଇବା ପାଇଁ ଉଦ୍ୟମ କରିଥିଲା । ଆମେ ଅଭିଯୁକ୍ତକୁ ଗରିଫ କରି ପଚରାଉଚରା କରିଛୁ । ଏହା ପୂର୍ବରୁ ସିବିଆଇ ମୁମ୍ବାଇରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲଶ । ପଶ୍ଚିମବଙ୍ଗ ପୋଲିସ ମାମଲା ସହିତ ଜଡ଼ିତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ ବୋଗତୁଇ ଗାଁରେ କିଛି ଘରରେ ନିଆଁ ଲଗାଇ ଦିଆଯାଇଥିଲା । ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ହିଂସା ଓ ଅଗ୍ନିକାଣ୍ଡ ଘଟଣା ପରେ ଲୋକେ ଘର ଛାଡ଼ି ପଳାୟନ କରିଥିଲେ । ଲୋକଙ୍କ ମନୟରେ ଭୟ ଯେ, କାଳେ ଦ୍ୱିତୀୟ ଥର ପାଇଁ ପୁଣି ସମାନ ପ୍ରକାରର ଅଘଟଣ ଘଟିବ । ସମ୍ଭାବିତ ଏଭଳି ଘଟଣାରୁ ଅତିକମରେ ବର୍ତ୍ତିଯିବା ପାଇଁ ଲୋକେ ପଳାୟନ କରିଥିଲେ । ତୃଣମୂଳ କଂଗ୍ରେସ ନେତା ଭାଦୂ ଶେଖଙ୍କ ହତ୍ୟା ପରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା | କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ |

Related Posts