![](https://www.satyapatha.com/wp-content/uploads/2023/02/gopal-das-csr.jpg)
ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ଘଟଣାସ୍ଥଳରେ ଅଭିଯୁକ୍ତ ଗୋପାଳ ଦାସ ସମ୍ପୂର୍ଣ ଘଟଣାର ଡେମୋ ଦେଖାଇଛି। କିନ୍ତୁ ଘଟଣା ସ୍ଥଳରୁ ଯେଉଁ ଚିତ୍ର ସାମନାକୁ ଆସିଛି, ସେଥିରେ ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୨୭ର ଖୋଲା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ଜାତି ଜାଲିଆତି ଅଭିଯୋଗ ରହିଥିବା ପୁଲିସ ଡିଏସପି ରମେଶ ଦୋରାଙ୍କୁ ଗୋଟିଏ ତଦନ୍ତ ଟିମ୍ର ମୁଖ୍ୟ କରାଇ କ୍ରାଇମବ୍ରାଞ୍ଚ ବିବାଦରେ ଥିବା ବେଳେ ଏବେ କ୍ରାଇମ ସିନ ରିକ୍ରିଏସନ୍ ଘଟଣା ତଦନ୍ତକୁ ଏକପ୍ରକାର ପ୍ରହସନରେ ପରିଣତ କରିଥିବା କୁହାଯାଉଛି।ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା ୨୭ ଅନୁଯାୟୀ, ଅଭିଯୁକ୍ତ କୌଣସି ସିନ୍ ରିକ୍ରିଏସନ୍ ସ୍ବତଃ ପ୍ରବୃ୍ତ୍ତ ଭାବେ କରେ। କିନ୍ତୁ ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ୍ ଗୋପାଳର ହାତକୁ ଧରି ବିଭିନ୍ନ ଅଙ୍ଗଭଙ୍ଗୀ ସମ୍ପର୍କରେ ବତାଇ ଯେଭଳି ସିନ୍ ରିକ୍ରିଏସନ କରାଉଥିଲେ, ତାହାର କୌଣସି ମୂଲ୍ୟ ଅଦାଲତରେ ନାହିଁ ବୋଲି ଅନେକ ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।
ସେପଟେ ନବ ଦାସଙ୍କୁ ସର୍ବ ସମ୍ମୁଖରେ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳି କରିଥିବା କୁହାଯାଉଥିଲେ ମଧ୍ୟ ଏଯାଏ ଏହି ଦୃଶ୍ୟ ଦେଖିଥିବା କୌଣସି ପ୍ରତକ୍ଷ ସାକ୍ଷୀ କ୍ରାଇମବ୍ରାଞ୍ଚ ପାଖରେ ନାହାନ୍ତି। ଯେଉଁ ଭିଡିଓ ଭାଇରାଲ୍ ହେଉଛି, ଏଥିରେ ଗୋପାଳ କେବଳ ନବ ଦାସଙ୍କ କାର୍ ନିକଟକୁ ଯାଉଥିବାର ଦେଖାଯାଉଛି ହେଲେ ଗୁଳି ଫୁଟାଇବାର କୌଣସି ଫୁଟେଜ୍ ବର୍ତ୍ତମାନ ସୁଦ୍ଧା ନାହିଁ। କେତେବେଳେ ଗୋପାଳକୁ ମାନସିକ ରୋଗୀ ଦର୍ଶାଯାଉଛି ତ କେତେବେଳେ ଗୋପାଳର ହାତଲେଖା ଥିବା ୨୨ ଖଣ୍ଡ କାଗଜ ଟୁକୁଡା ଝାରସୁଗୁଡ଼ା ଏୟାରପୋର୍ଟ ପାଇଖାନା ଟାଙ୍କୀରୁ କ୍ରାଇମବ୍ରାଞ୍ଚ ଜବତ କରିଥିବା ଦାବି କରୁଛି। ଏ ସବୁର ସତ୍ୟାସତ୍ୟକୁ ନେଇ ସନ୍ଦେହ ବଢୁଛି। ତେବେ ଘଟଣାର ୧୦ ଦିନ ପରେ ବି କ୍ରାଇମବ୍ରାଞ୍ଚ ଏ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେଇ ପାରିନାହିଁ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଅପରାଧିକ ମାମଲାରେ ଜଣେ ଅଭିଯୁକ୍ତ ପୁଲିସ ହେପାଜତରେ ଥିବା ବେଳେ ସ୍ବାଧୀନ ସାକ୍ଷୀଙ୍କ ସାମନାରେ ସେ ଘଟଣା ସମ୍ପର୍କରେ ନିଜର ବୟାନ ସ୍ବତଃ ପ୍ରବୃତ୍ତ ଭାବେ ରଖିବ। ବିନା କୌଣସି ଇଙ୍ଗିତରେ ନିଜେ ଘଟଣାସ୍ଥଳକୁ ପୁଲିସକୁ ବାଟ କଢାଇ ନେବ ଏବଂ ସଂପୂର୍ଣ୍ଣ ଘଟଣାକ୍ରମକୁ ପୁନଃ ପ୍ରଦର୍ଶିତ କରିବ। ଏହା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ ଉଦ୍ଧାର କରି ପୁଲିସର ଜିମା ଦେବ। ଏହାର ଭିଡିଓ ରେକର୍ଡ କରାଯିବ। ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟର ଧାରା ୨୭ରେ ଏ ସବୁ ସମ୍ପର୍କରେ ଉଲ୍ଲେଖ ରହିଛି। କିନ୍ତୁ ଗୋପାଳର ମଙ୍ଗଳବାର ଦିନ ହୋଇଥିବା ସିନ୍ ରିକ୍ରିଏସନ ସମୟରେ କ୍ରାଇମବ୍ରାଞ୍ଚ ଟିମର ହାବଭାବ ବଡ଼ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ସିନ୍ ରିକ୍ରିଏସନ ସମୟରେ ଗୋପାଳ ସବୁ କିଛି କରୁଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ନବ ଦାସ ହତ୍ୟାକାଣ୍ଡ ତଦନ୍ତର ଫଳାଫଳକୁ ନେଇ ସନ୍ଦେହ ବଢିବାରେ ଲାଗିଛି।