
ଖୋର୍ଦ୍ଧା: ଗତକାଲି ଚିଲିକାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତ ଦେହ । କାଳବୈଶାଖୀ ଯୋଗୁଁ ଗତକାଲି ଘଟିଥିଲା ଅଘଟଣ । ରାଜ କିଶୋର ଖୁଣ୍ଟିଆ ନାମକ ବ୍ୟକ୍ତି ଗତକାଲି ଚିଲିକାର ଅକାତକାତ ଜଳରେ ନିଖୋଜ ହୋଇଯାଇଥିଲେ । ବାଲୁଗାଁ କୋଦପୁର ଗାଁରେ ତାଙ୍କ ଘର । ନିଖୋଜ ହେବାର ୧୯ ଘଣ୍ଟା ପରେ ମିଳିଲା ପତ୍ତା ।
ଚିଲିକାର ବଡକୂଳ ନିକଟ ଖାରିବନ୍ଧରୁ ମିଳିଲା ରାଜ କିଶୋର ଖୁଣ୍ଟିଆଙ୍କ ମୃତଦେହ । ଡଙ୍ଗାରେ ୮ ଜଣ ପର୍ଯ୍ୟଟକଙ୍କ ସହ ଦୁଇ ଜଣ ନାବିକ ଏବଂ ମା କାଳିଜାଇଙ୍କ ପୀଠରେ ବ୍ୟବସାୟ କରୁଥିବା ଦୁଇଜଣ ସ୍ଥାନୀୟ ବାସିନ୍ଦା ବସିଥିଲେ । ବାଲେଶ୍ୱର ରେମୁଣା ଅଞ୍ଚଳର ଗୋଟିଏ ପରିବାର ମା କାଳୀଜାଈଙ୍କ ଦର୍ଶନ ପାଇଁ ଯାଇଥିଲେ । ତେବେ ଫେରିବା ବେଳେ ଚିଲିକାର ଚଢେଇଗୁହା ପାହାଡ଼ ନିକଟରେ କାଳବୈଶାଖୀ ପ୍ରଭାବରେ ଡଙ୍ଗାଟି ବୁଡି ଯାଇଥିଲା ।
ଠିକ୍ ଏହି ସମୟରେ ଖୋର୍ଦ୍ଧା ଏସପିଙ୍କ ସହ ପୋଲିସର ଏକ ଟିମ୍ ମା’ଙ୍କ ଦର୍ଶନ ସାରି ଫେରୁଥିବାବେଳେ ଲୋକେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ଟିମ୍ ୧୦ ଜଣଙ୍କୁ ଉଦ୍ଧାର କରିବା ସହ ବାଲୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଭର୍ତ୍ତି କରାଇଥିଲା । ଦୁଇଟି ଅଗ୍ନିଶମ ବିଭାଗ ଟିମ୍ ,ଦୁଇଟି ନୌସେନା ଟିମ୍ ଓ ସ୍ଥାନୀୟ ବୋଟ ଆସୋସିଏସନ ପକ୍ଷରୁ ରାଜ କିଶୋର ଖୁଣ୍ଟିଆଙ୍କ ସନ୍ଧାନ କରାଯାଉଥିଲା ।
ତେବେ ରାତି ତମାମ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ତେବେ ଆଜି ଦୀର୍ଘ 19 ଘଣ୍ଟା ପରେ ଆଜି ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।