
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଚାଇନାକୁ ବଡ଼ ଝଟକା । କେନ୍ଦ୍ର ସରକାର ଭାରତରେ ୫୪ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ ୨୦୨୦ ମସିହାରୁ ମୋଟ ୨୭୦ଟି ଆପ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଭାରତୀୟଙ୍କ ଗୋପନୀୟତା ଏବଂ ନିରପତ୍ତା ପ୍ରତି ବିପଦ ଥିବା ଦର୍ଶାଇ ଏହି ପ୍ରତିବନ୍ଧକ ଲଗାଯାଇଛି । ସେପଟେ ୫୪ ନିଷିଦ୍ଧ ଆପ ତାଲିକାରେ ଥିବା ଅଧିକାଂଶ ଆପ ଚାଇନାର ଜଏଣ୍ଟସ-ଟେନ୍ସେଣ୍ଟ, ଅଲିବାବା ଏବଂ ନେଟ ଏଜ ସହିତ ଜଡ଼ିତ ରହିଛି । ଅଧିକାଂଶ ଆପ ୨୦୨୦ ମସିହାରେ ନିଷିଦ୍ଧ ହୋଇଥିବା ଆପ ଗୁଡ଼ିକର ରିବ୍ରାଣ୍ଡେଡ ବା ରିକ୍ରିଷ୍ଟେଡ ଭର୍ସନ ଥିଲା । ଅନ୍ୟପଟେ ୨୯ ଜୁନ ୨୦୨୦ ମସିହାରେ ପ୍ରଥମ ଡିଜିଟାଲ ଷ୍ଟ୍ରାଇକ କରି ଭାରତ ସରକାର ଟିକଟକ, ଶେୟାରଚାଟ, ୱି ଚାଟ, ହେଲୋ, ଲାଇକ, ୟୁସି ନ୍ୟୁଜ, ବିଗୋ ଲାଇଭ, ୟୁସି ବ୍ରାଉଜର, ଇଏସ ଫାଇଲ, ଏକ୍ସପ୍ଲୋରର, ଏବଂ ମି କମ୍ୟୁନିଟି ଭଳି ଲୋକପ୍ରିୟ ଆପ୍ଲିକେଶନ ସହିତ ପ୍ରଥମ ରାଉଣ୍ଡର ପ୍ରାୟ ୫୯ଟି ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।
ଏହା ପରେ ଯଥାକ୍ରମେ ୪୭, ୧୧୮ ଏବଂ ୪୩ ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ସେପଟେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୯-ଏ ଅନୁଯାୟୀ, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସମସ୍ତ ଆପ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଭାରତ ଓ ଚୀନ ସୀମାକୁ ନେଇ ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ବିବାଦ ଲାଗିରହିଛି । ଏନେଇ ଉଭୟ ଦେଶ ନିଜର ସୀମାବର୍ତ୍ତୀ ଅଞ୍ଚଳରେ ନିଜର ସୈନ୍ୟ ମୁତୟନ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ବାରମ୍ବାର ଦୁଇ ଦେଶ ମଧ୍ୟରେ ଆଲୋଚନା ସତ୍ତ୍ୱେ ସୀମାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପର୍ଷ ବାହାରି ପାରୁନାହିଁ । ଏହା ମଧ୍ୟରେ କେନ୍ଦ୍ର ସରକାର ୫୪ ଟି ଚାଇନିଜ ଆପ ବ୍ୟାନ କରିବା ଚାଇନା ଉପରେ ଚତୁର୍ଥ ଡିଜିଟାଲ ଷ୍ଟ୍ରାଇକ ବୋଲି ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।