ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋରେଇ ଷ୍ଟେସନ ରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ମୃତାହତ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏଥିସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରେଲୱେ ପକ୍ଷରୁ ମଧ୍ୟ ସହାୟତା ରାଶି ଘୋଷଣା କରାଯାଇଛି । ରେଲୱେ ପକ୍ଷରୁ ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଗୁରୁତର ଆହତ ଙ୍କ ପାଇଁ ୧ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୨୫ ହାଜର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଘୋଷଣା କରିଛନ୍ତି।

ସୂଚନା ଥାଉକି, ଯାଜପୁର ଜିଲ୍ଲା କୋରେଇ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ କିଛି ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୬ଟା ୪୪ ମିନିଟରେ ଏହି ଦୁର୍ଘଟଣା ଘଟିଛି । କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି । ୮ଟି ବଗି ଲାଇନଚ୍ୟୁତ ହୋଇଛି ।

କିଛି ଓ୍ଵାଗନ ଷ୍ଟେସନ ଭିତରେ ପଶି ଯାଇଥିଲା । ଷ୍ଟେସନ ବିଲଡିଂ ଭାଙ୍ଗିଯାଇଛି । ସେହିପରି ଟିକେଟ କାଉଣ୍ଟର, ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ି ଯାଇଥିଲା ଓ୍ଵାଗନ୍‌ । ଫୁଟ୍‌ ଓଭରବ୍ରିଜ ଉପରେ ବି ଓ୍ଵାଗନ ମାଡ଼ି ଯାଇଛି । ଫଳରେ ଭଦ୍ରକ-କପିଳାସ ରୋଡ ରେଲେଓ୍ଵ ଲାଇନରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍‌ ଚଳାଚଳ । ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଖୋର୍ଦ୍ଧା ଡିଭିଜନର ବରିଷ୍ଠ ଅଧିକାରୀ । ଖୋର୍ଦ୍ଧା ଡିଆରଏମ୍‌ ବି ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ।