ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାରେ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହାସହ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ଏନେଇ ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ୫ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଥିବାବେଳେ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ସେହିପରି ରେଷ୍ଟୋରେସନ ପାଇଁ ପ୍ରାୟ ୧୨ ଘଣ୍ଟା ସମୟ ଲାଗିବ । ସମ୍ବଲପୁର ରୁଟ ଦେଇ ଟ୍ରେନ ଚଳାଚଳ ବ୍ୟବସ୍ଥା କରାଯାଉଥିବା ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ନିମ୍ନୋକ୍ତ ଟ୍ରେନଗୁଡ଼ିକୁ ବାତିଲ କରାଯାଇଛି:
ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ
ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ
ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ
କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ
ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର
ଭୁବନେଶ୍ୱର-ବାଲେଶ୍ୱର ପାସେଞ୍ଜର ସ୍ପେଶାଲ
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହେବାରୁ ପ୍ରାୟ ୮ ବଗି ଯାତ୍ରୀ ବିଶ୍ରାମାଗାରମ ଭିତରକୁ ପଶି ଯାଇଥିଲା। ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମାଲବାହୀ ଟ୍ରେନ୍ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍ରେ କୋରେଇ ଷ୍ଟେସନରେ ପଶିଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ଟି ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।
ଉକ୍ତ ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍ଟି ମାଡ଼ି ଆସିବା ଦେଖି ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଟ୍ରେନ୍ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଆଶା କରାଯାଉଛି।
