
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ହେଲେ ସଂସ୍କାରକୁ ୨୫ ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସେପଟେ ଉତ୍ତର ଓଡ଼ିଶାର ବିଭିନ୍ନ ଗାଁରେ ଏହିଭଳି ସ୍ଥିତି ରହିଥିବାବେଳେ ପ୍ରାୟ ୨୯% ଗ୍ରାମରେ ପ୍ରତିଦିନ ୧୨ ଘଣ୍ଟାଧରି ବିଜୁଳି କାଟ୍ ହେଉଥିବା ଦେଖିବାକୁ ମିଳୁଛି। ଯାହା ଦର୍ଶାଉଛି ଓଡ଼ିଶାରେ ବିଦ୍ୟୁତ ସଂସ୍କାରର ଭିତ୍ତିପ୍ରସ୍ତର କେତେ ସୁଦୃଢ଼ । ଅନ୍ୟପଟେ ୧୯୯୯-୨୦୦୦ ମସିହା ବେଳକୁ ରାଜ୍ୟରେ ୫୦ ୟୁନିଟ୍ ପର୍ୟ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତା ୟୁନିଟ୍ ପିଛା ୧ ଟଙ୍କା ୨୦ ପଇସା ଏବଂ ୪୦୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତା ୟୁନିଟ୍ ପିଛା ୨ ଟଙ୍କା ୮୦ ପଇସା ଦେଉଥିଲେ। ହେଲେ ଏବେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କଲେ ଗ୍ରାହକ ୩ ଟଙ୍କା ଦେଉଛନ୍ତି।
ସେହିପରି ୪୦୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ଗଣିବାକୁ ପଡ଼ୁଛି। ଏହି ହିସାବରେ ଦେଖିଲେ ୨୦୦୦ ମସିହାରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟର ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ବିଜୁଳି ଦର ୧୩୭ ପ୍ରତିଶତ ବୃଦ୍ଧି ପାଇଛି। ବିଦ୍ୟୁତ୍ ଦର ବୃଦ୍ଧି ପାଇଛି ସିନା, ହେଲେ ସେହି ଅନୁପାତରେ ଉପଭୋକ୍ତାଙ୍କୁ ସେବା ମିଳିପାରୁନି। ଏବେ ବି ରାଜ୍ୟରେ ଏମିତି ଅନେକ ଗାଁ ରହିଛି ଯେଉଁଠି ବିଦ୍ୟୁତ୍ ସେବା ପହଞ୍ଚି ପାରିନି। ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇଛି, ସେଠାରେ ଲୋକେ ଲୋ-ଭୋଲ୍ଟେଜ୍ ଓ ଘନଘନ ବିଦ୍ୟୁତ୍ କାଟ୍ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଉତ୍ତର ଓଡ଼ିଶାରେ ମଧ୍ୟ ଏପରି ସ୍ଥିତି ଅନେକ ଗାଁରେ ରହିଛି। ଭାରତ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାରେ ରାଜ୍ୟର ୪୯,୨୭୨ଟି ଗାଁ ସହ ବାଲେଶ୍ବର ଜିଲ୍ଲାର ୨୫୫୭ଟି, ଭଦ୍ରକ ଜିଲ୍ଲାର ୧୨୮୨ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ୩୭୪୮ଟି ଗାଁକୁ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ; ବାଲେଶ୍ବରର ୩.୨୯ ପ୍ରତିଶତ, ଭଦ୍ରକର ୪.୦୬ ପ୍ରତିଶତ ଏବଂ ମୟୂରଭଞ୍ଜର ୫.୯୮ ପ୍ରତିଶତ ଗାଁ ପାଇଁ ଏବେ ବି ବିଦ୍ୟୁତ୍ ସେବା ସ୍ବପ୍ନ ହୋଇ ରହିଥିବା ଜଣାପଡ଼ିଛି।
ଅନ୍ୟପଟେ ଯେଉଁ ଗାଁକୁ ବିଜୁଳି ସଂଯୋଗ ରହିଛି, ସେହି ଗାଁଗୁଡ଼ିକ ମଧ୍ୟରୁ ଅଧିକାଂଶ ଗାଁରେ ୨୪ ଘଣ୍ଟାରୁ ୧୨ ଘଣ୍ଟା ବିଜୁଳିର ଦେଖା ମିଳେନି। ବଲେଶ୍ବରେ ୨୯ ପ୍ରତିଶତ, ଭଦ୍ରକରେ ୨୩ ପ୍ରତିଶତ ଏବଂ ମୟୂରଭଞ୍ଜରେ ୩୬ ପ୍ରତିଶତ ଗାଁ; ଅର୍ଥାତ୍ ହାରାହାରି ୨୯.୩୩ ପ୍ରତିଶତ ଗାଁରେ ଏଭଳି ସମସ୍ୟା ରହିଛି। ସେହିପରି ବାଲେଶ୍ବରର ୩.୦୧ ପ୍ରତିଶତ, ଭଦ୍ରକର ୭.୫୬ ପ୍ରତିଶତ ଏବଂ ମୟୂରଭଞ୍ଜର ୭.୯୨ ପ୍ରତିଶତ ଗାଁରେ ଦିନକୁ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ ହୋଇଥାଏ। ବିଦ୍ୟୁତ୍ କାଟ୍କୁ ଛାଡ଼ିଦେଲେ ଅଧିକାଂଶ ଗାଁରେ ଲୋ-ଭୋଲ୍ଟେଜ୍ ସମସ୍ୟା ମଧ୍ୟ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୭.୧୩ ପ୍ରତିଶତ ଗାଁକୁ ଏଯାଏ ବିଜୁଳି ସଂଯୋଗ ହୋଇପାରିନାହିଁ।
ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇଛି, ସେହି ଗାଁ ମଧ୍ୟରୁ ୩୯ ପ୍ରତିଶତ ଗାଁରେ ୨୪ରୁ ୧୨ ଘଣ୍ଟା ବିଜୁଳି ରହେନି। ସେହିପରି ୫.୧୬ ପ୍ରତିଶତ ଗାଁରେ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ ହୋଇଥାଏ। ତେବେ ଏଭଳି ପରିସ୍ଥିତିରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ କେବଳ ଜନଶୁଣାଣି ଶିବିର ଆୟୋଜନ କଲେ ହେବନି; ସାଧାରଣ ଉପଭୋକ୍ତାଙ୍କୁ କିପରି ଉତ୍ତମ ସେବା ଯୋଗାଇ ଦିଆ ଯାଇପାରିବ ସେ ଦିଗରେ ବିହୀତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି।