ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ ଭାରତକୁ ସଫଳତା। ଭାରତୀୟ ରାଇଫଲ ସୁଟର୍ ସୋନମ ଉତ୍ତମ ମାସ୍କର ଓ ହିମାଂଶୁ ଧିଲନ ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି। ହାଙ୍ଗ୍ଝୌରେ ଚାଲିଥିବା ଏହି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଏହି ଯୋଡ଼ି ତୃତୀୟ ସ୍ଥାନରେ ରହିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସୋନମ (୩୧୭.୨) ଓ ହିମାଂଶୁ (୩୧୭.୪) ଏକାଠି ୬୩୪ .୬ ପଏଣ୍ଟ ସହ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ତାଙ୍କ ସହ ଅନ୍ୟ ଏକ ଭାରତୀୟ ଯୋଡ଼ି ଇଲାଭେନିଲ ଭାଲାରିଭାନ (୩୧୬.୮) ଓ ପାର୍ଥ ରାକେଶ ମାନେ (୩୧୭,୪) ମୋଟ ୬୩୪.୨ ସ୍କୋର୍ ସହ ଫାଇନାଲ୍ରେ ପହଞ୍ଚିଥିଲେ। ଫାଇନାଲ୍ରେ ସୋନମ ଓ ହିମାଂଶୁ ୪୪୧.୨ ପଏଣ୍ଟ୍ (ଉଭୟ ୨୨୦.୬ ଲେଖାଏଁ) ପାଇ ଦୁଇ ଚୀନ୍ ଯୋଡ଼ିଙ୍କଠୁ ପଛରେ ପଡ଼ି କାଂସ୍ୟ ପାଇଥିଲେ। ତେବେ ଇଲାଭେନିଲ (୧୯୦.୫) ଓ ପାର୍ଥ (୧୮୮.୩) ୩୭୮ ପଏଣ୍ଟ ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଏହି କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୪ (୧ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୨ କାଂସ୍ୟ)ରେ ପହଞ୍ଚିଛି।
