ଓଡ଼ିଶାରୁ ୨ ଜଣଙ୍କୁ ଶିଳ୍ପୀଗୁରୁ, ୧୩ ଜଣଙ୍କୁ ମିଳିଲା ଜାତୀୟ ଶିଳ୍ପକାର ପୁରସ୍କାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋମବାର ନୂଆଦିଲ୍ଲୀଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପୀଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପୀଗୁରୁ ପୁରସ୍କାର ଏବଂ ୭୮ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର ଦିଆଯାଇଥିଲା। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏହି ପୁରସ୍କାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଅଧ୍ୟକ୍ଷତା କରିଥିଲେ। ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଏବଂ ଭାରତୀୟ ହସ୍ତଶିଳ୍ପ ଓ ବୟନଶିଳ୍ପ କ୍ଷେତ୍ରର ମୂଲ୍ୟବାନ ଯୋଗଦାନକୁ ମାନ୍ୟତା ଦେବା ଏହି ପୁରସ୍କାରର ଉଦ୍ଦେଶ୍ୟ।

ହସ୍ତଶିଳ୍ପ କ୍ଷେତ୍ରରେ ଉତ୍କର୍ଷ, ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ପାଇଁ ବିଶିଷ୍ଟ ଶିଳ୍ପକାରମାନଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଶିଳ୍ପୀଗୁରୁମାନେ ଶିଳ୍ପକଳାର ପ୍ରସାର ଏବଂ ଅନ୍ୟ ଶିଳ୍ପୀମାନଙ୍କୁ ପ୍ରଶିକ୍ଷଣ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏମାନେ ଭାରତର ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଛନ୍ତି। ସେମାନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୨୪ ଜଣ ପୁରୁଷ ଏବଂ ୬ ଜଣ ମହିଳା ଶିଳ୍ପକାରଙ୍କୁ ଶିଳ୍ପୀଗୁରୁ ପୁରସ୍କାର ଦିଆଯାଇଛି। ଜାତୀୟ ଶିଳ୍ପକାର ପୁରସ୍କାର ବିଭିନ୍ନ ପ୍ରକାର ହସ୍ତଶିଳ୍ପ ବର୍ଗରେ ଉତ୍କୃଷ୍ଟ ଶିଳ୍ପକାରମାନଙ୍କୁ ୧୯୬୫ ମସିହାଠାରୁ ପ୍ରଦାନ କରାଯାଇ ଆସୁଛି। ଏମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।

ଓଡ଼ିଶାର ବିଜୟ କୁମାର ପରିଡ଼ାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଳ୍ପୀଗୁରୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଳପତ୍ରରେ ଖୋଦେଇ ଶିଳ୍ପକଳା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରୀ ପରିଡ଼ା ୨୦୧୮ ମସିହା ପାଇଁ ଶିଳ୍ପୀଗୁରୁ ପୁରସ୍କାର ପାଇଛନ୍ତି। ସମାନ ବର୍ଷ ପାଇଁ ଆଉ ଜଣେ ଓଡ଼ିଆ ଶିଳ୍ପୀ ମହେଶ୍ବର ପରିଡ଼ାଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରସ୍ତର ଶିଳ୍ପର ବିକାଶ ଓ ସଂରକ୍ଷଣ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି।
ଅନ୍ୟପକ୍ଷରେ ଓଡ଼ିଶାର ୧୩ଜଣ ଶିଳ୍ପକାରଙ୍କୁ ଜାତୀୟ କୁଶଳୀ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ମସିହା ପାଇଁ ପ୍ରସ୍ତରଶିଳ୍ପୀ ରାକେଶ କୁମାର ମହାରଣା, ଚିତ୍ରକଳା ଶିଳ୍ପୀ ବିରଞ୍ଚିନାରାୟଣ ବେହେରା, କାଇଁଚ ଶିଳ୍ପୀ ପ୍ରଦୀପ୍ତ କୁମାର ନାୟକ, ପଟ୍ଟଚିତ୍ର ଶିଳ୍ପୀ ସବିତା ମହାପାତ୍ର, ଟସର ଚିତ୍ରକଳା ଶିଳ୍ପୀ ସ୍ବର୍ଣ୍ଣଲତା ମହାପାତ୍ର ସମ୍ମାନିତ ହୋଇଛନ୍ତି। ୨୦୧୮ ମସିହା ପାଇଁ ପ୍ରସ୍ତରଶିଳ୍ପୀ ରଞ୍ଜନ ମହାରଣା, ତାଳପତ୍ର ଖୋଦେଇ ଶିଳ୍ପୀ ସନ୍ତୋଷ ସେନାପତି, ପଟ୍ଟଚିତ୍ର ଶିଳ୍ପୀ ସଂଘମିତ୍ରା ମହାରଣା, ଟସର ବୟନ ଶିଳ୍ପୀ ରାଜେନ୍ଦ୍ର କୁମାର ମେହେର, କାଇଁଚ ଶିଳ୍ପୀ କୁନି ପାତ୍ରଙ୍କୁ କୁଶଳୀ ଶିଳ୍ପକାର ପୁରସ୍କାର ମିଳିଛି। ୨୦୧୯ ମସିହା ପାଇଁ ପ୍ରସ୍ତରଶିଳ୍ପୀ ସୁଶାନ୍ତ କୁମାର ଦାସ ଏବଂ ତାଳପତ୍ର ଖୋଦେଇ ଶିଳ୍ପୀ ବିଜୟଲକ୍ଷ୍ମୀ ସ୍ବାଇଁ ଓ ସ୍ବପ୍ନମଞ୍ଜରୀ ନାୟକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।

Related Posts