ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ସହରରେ ଆମ୍ବୁଲାନ୍ସ ନପାଇ ଜଣେ ମହିଳା ଟ୍ରଲିରେ ବୁହା ହେବା ଏବଂ ହସ୍ପିଟାଲ ଯିବା ବାଟରେ ଜୀବନ ଚାଲି ଯିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁରୀଘାଟ ଥାନାର ଅନତି ଦୂରରେ ଏହି ଘଟଣା ଘଟିଛି। କଟକ ସହରର ତଳତେଲଙ୍ଗା ବଜାର ଶାନ୍ତ ଗଡା ନିକଟରେ ରାସ୍ତା ପାର୍ଶ୍ବରେ ଜଣେ ମହିଳା ପଡି ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପ୍ରଥମେ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ହେଲେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ନଥିଲା, ପୁଲିସ ମଧ୍ୟ କୌଣସି ସହ‌ଯୋଗ କରିନଥିଲା। ‌ଶେଷରେ ମହିଳାଙ୍କ ଝିଅ ଓ ଜ୍ବାଇଁ ଏକ ଟ୍ରଲିରେ ପକାଇ ତାଙ୍କୁ ଏସ୍‌ସିବି ମେଡିକାଲକୁ ନେଇଥିଲେ। ମାତ୍ର ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ବଡ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ ରାଜାବଗିଚାସ୍ଥିତ ସର୍ବୋଦୟପୁର ଅଞ୍ଚଳର ସ୍ବର୍ଗତ ବୁଲୁ ନାୟକଙ୍କ ପତ୍ନୀ ହେଉଛନ୍ତି ବାସନ୍ତୀ ନାୟକ(୫୨)। ଆଜି ରାତି ୮ଟାରେ ସେ ଘରକୁ ଫେରୁଥିବା ବାଟରେ ତଳତେଲେଙ୍ଗା ବଜାର ଶାନ୍ତିଲତା ଗଡା ନିକଟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ନିକଟରେ ଥିବା ଏକ ଦୋକାନରୁ ପାଣି ମାଗି ପିଉଥିବା ସମୟରେ ସେ ତଳେ ପଡିଯାଇଥିଲେ। ଏହି ସମୟରେ ତାଙ୍କ ପାଟିରୁ ଫେଣ ବାହାରିଥିଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିବା ସହ ପୁରୀଘାଟ ଥାନାକୁ ସୂଚନା ଦେଇଥିଲେ। ମାତ୍ର ଦୀର୍ଘ ସମୟ ପରେ ବି ଆମ୍ବୁଲାନ୍ସ କି ଥାନା ଗାଡି ଆସି ନଥିଲା। ଏପରିକି ବାଟରେ ଯାଉଥିବା ବାଟୋଇ କିମ୍ବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ କେହି ବି ସାହାଯ୍ୟର ହାତ ବଢାଇ ନଥିଲେ। ଖବର ପାଇ ବାସନ୍ତୀଙ୍କ ଝିଅ ଓ ଜ୍ବାଇଁ ଏକ ଟ୍ରଲିରେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।