ପ୍ରତିଶ୍ରୁତି ପୂରଣ କଲା ଆପ୍‌: ଜୁଲାଇ ୧ରୁ ପ୍ରତି ଘରକୁ ୩୦୦ ୟୁନିଟ୍ ଯାଏଁ ଫ୍ରି ବିଜୁଳି

ପଞ୍ଜାବ: ବହୁମତ ସହ ପଞ୍ଜାବରେ ସରକାର ଗଠନ କରିଛି ଆମ ଆଦମୀ ପାର୍ଟି(ଆପ୍‌) | ସରକାର ଗଠନ କରିବା ପରେ ଏବେ ଆରମ୍ଭ ହୋଇଯାଇଛି ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରକ୍ରିୟା | ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ଲୋକଙ୍କୁ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ମାନ୍ ସରକାର ନିଜର ୩୦ ଦିନର କାର୍ଯ୍ୟକାଳର ରିପୋର୍ଟ କାର୍ଡ ଜାରି କରିଛନ୍ତି । ଏହାସହ ବିଭିନ୍ନ ବିଜ୍ଞାପନ ଦ୍ୱାରା ଜୁଲାଇ ୧ରୁ ମାଗଣା ବିଜୁଳି ମିଳିବ ବୋଲି ମଧ୍ୟ ଦାବି କରୁଛନ୍ତି । ଜୁଲାଇ ମାସ ଠାରୁ ଲୋକଙ୍କୁ ୩୦୦ ୟୁନିଟ୍‌ ଯାଏ ବିଜୁଳି ଖର୍ଚ୍ଚ ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ।

ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ଠିକ୍‌ ମାସକ ତଳେ ପଞ୍ଜାବରେ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ଷମତାରେ ରହିବାର ମାସକ ପରେ ଆପ୍‌ ସରକାର ନିଜର ପ୍ରତିଶ୍ରୁତି ପୂରଣ ପର୍ବ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ଜୂଲାଇ ୧ରୁ ସମସ୍ତଙ୍କୁ ୩୦୦ ୟୁନିଟ ଯାଏ ବିଜୁଳି ମାଗଣା ମିଳିବ। ଏହାପରେ ପର୍ଯ୍ୟାୟକ୍ରମେ ଆପ୍‌ ଦେଇଥିବା ବାକି ପ୍ରତିଶ୍ରୁତିକୁ ପୂରଣ କରାଯିବ। ପଞ୍ଜାବକୁ ୧ନଂ ରାଜ୍ୟ କରିବା ହିଁ ଆପର ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ଘୋଷଣାର କିଛି ଦିନ ପୂର୍ବରୁ ଆପ୍‌ର ମୁଖପାତ୍ର ମାଲୱିନ୍ଦର ସିଂହ କଙ୍ଗ କହିଥିଲେ ଯେ ନିର୍ବାଚନ ବେଳେ ଦଳ ମାଗଣା ବିଜୁଳି କଥା ଘୋଷଣା କରିଥିଲା। ପଞ୍ଜାବବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଆପ୍ ସରକାର ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି। କେବଳ ଏହା କେବେ ଠାରୁ ଲାଗୁ ହେବ, ସେ ବିଷୟରେ ମାନସମନ୍ଥନ ଚାଲିଥିବା ସେ କହିଥିଲେ। ଏପରି ସୂଚନାର କିଛି ଦିନ ଭିତରେ ହିଁ ଆପ୍ ସରକାର ଜୁଲାଇ ୧ରୁ ମାଗଣା ବିଜୁଳି ଲୋକଙ୍କୁ ମିଳିବ ବୋଲି ଘୋଷଣା କରିଛନ୍ତି।

ମାଗଣା ବିଜୁଳି ବ୍ୟତୀତ ଗତ ମାସରୁ ପଞ୍ଜାବ ସରକାର ଘର ଦୁଆରେ ରାସନ ପହଞ୍ଚାଇବା ବ୍ୟବସ୍ଥା ଲାଗୁ କରିଥିଲେ। ନିର୍ବାଚନ ବେଳେ ଏପରି ବ୍ୟବସ୍ଥା ଲାଗୁ ହେବ ବୋଲି ଆପ୍‌ର ଆବାହକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଲୋକମାନଙ୍କୁ କହିଥିଲେ। ଏହାବାଦ ରାଜ୍ୟରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘୋଷଣା କରିଥିଲେ।

ସେହିପରି ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ପ୍ରାୟ ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି। ଗ୍ରୁପ ସି’ ଓ ଗ୍ରୁପ ଡି’ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଆପ୍‌ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତିଶ୍ରୁତି ମୁତାବକ ପଞ୍ଜାବରେ କ୍ଷମତାସୀନ ଆପ୍‌ ସରକାର କାମ କରିବ ବୋଲି ଦଳ କହିଛି।

ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ ଯେ, ଦିଲ୍ଲୀରେ ଯେଉଁଭଳି ଭାବେ ସରକାରୀ ଅଧିକାରୀମାନେ ଲୋକଙ୍କ ଘରକୁ ଯାଇ କାମ କରୁଛନ୍ତି ଏବଂ ସୁବିଧା କରାଉଛନ୍ତି ସେମିତି ଚଣ୍ଡିଗଡରେ ମଧ୍ୟ ନଗର ନିଗମ ଅଧିକାରୀମାନେ ତାହା ହିଁ କରିବେ । ଏହା ସହିତ ପ୍ରଚୁର ମାତ୍ରାରେ ଅଳିଆ ଗଦା ହେବାଯୋଗୁଁ ବିଭିନ୍ନ ଅସୁବିଧା ଦେଖିବାକୁ ମିଳୁଛି । ଏ ସବୁ ଅଳିଆ ଗଦାଗୁଡିକୁ ସଫା କରାଯିବ । ସ୍ବଚ୍ଛ ଏବଂ ସବୁଠାରୁ ସୁନ୍ଦର ସହର ଭାବେ ପୁରା ଏସିଆ ମହାଦେଶରେ ଚଣ୍ଡିଗଡକୁ ଏକ ନମ୍ବର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କେଜରିଓ୍ବାଲ । ଏହା ସହିତ ଦିଲ୍ଲୀରେ ଯେପରି ପାଣି ଏବଂ ବିଜୁଳି ମାଗଣାରେ ଦିଆଯାଉଛି ସେହିଭଳି ଭାବେ ଚଣ୍ଡିଗଡରେ ମଧ୍ୟ ମାଗଣା ଦିଆଯିବ ବୋଲି କେଜ୍ରିଓ୍ୱାଲ୍ କହିଥିଲେ |

Related Posts