କୋଣାର୍କରେ ହେବ ଜି-୨୦ ବୈଠକ: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତ ଜି-୨୦ର ଅଧ୍ୟକ୍ଷ । ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ଏକ ବର୍ଷ ପର୍ଯ୍ୟନ୍ତ ଭାରତ ଏହି ଦାୟିତ୍ଵ ତୁଲାଇବ । ତେବେ ଏହି ସମୟ ଅବଧି ମଧ୍ୟରେ ୨୧୫ଟି ‌ବୈଠକ ଭାରତରେ ଆୟୋଜିତ ହେବ। ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳମାନଙ୍କ ସହ ମୋଟ ୫୫ଟି ସ୍ଥାନ ଏଥି ପାଇଁ ଚିହ୍ନଟ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଆଧାରିତ ହେବ। ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ।

କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି, ୟୁନେସ୍କୋ ବିଶ୍ବ ଏୗତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ। ଏହି ସବୁ ଏୗତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, ହାମ୍ପି (କର୍ଣ୍ଣାଟକ), ତାଜମହଲ (ଆଗ୍ରା) ଓ ଖଜୁରାହୋ (ମଧ୍ୟପ୍ରଦେଶ)। ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ଦୁଇଟି ଓ ଅନ୍ୟ ଐତିହ୍ୟ ସ୍ଥଳମାନଙ୍କରେ ଗୋଟିଏ ଲେଖାଏଁ ବୈଠକ ହେବ। ଏହି ସବୁ ବୈଠକ ସମ୍ମିଳନୀ ପ୍ରକୋଷ୍ଠ କିମ୍ବା କୌଣସି ପ୍ରତିଷ୍ଠାନରେ ଆୟୋଜନ କରାଯିବା ସମ୍ଭାବନା ରହିଛି।

ସୂଚନା ମୁତାବକ, ଜି-୨୦ ପ୍ରତିନିଧି ଓ ଅଧିକାରୀମାନଙ୍କ ପାଇଁ ୨୫୦ଟି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି କରୁଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତିକୁ ସାମିଲ କରାଯିବ। ମୁଖ୍ୟ ବୈଠକ ଦିଲ୍ଲୀର ପ୍ରଗତି ମୈଦାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।

Related Posts