ନୂଆଦିଲ୍ଲୀ: ଭାରତ ତଥା ଏସିଆର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଆଦାନୀ ଗ୍ରୁପ୍ର ଚେୟାରମ୍ୟାନ୍ ଗୌତମ ଆଦାନୀ ଧିରେ ଧିରେ ଶିଳ୍ପ ଜଗତରେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହି କ୍ରମରେ ସେ ଏବେ ଗଙ୍ଗାଭରମ୍ ପୋର୍ଟ ଲିମିଟେଡ୍ କୁ ନିଜ ଅଧିନକୁ ନେଇଛନନ୍ତି । ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଆଦାନୀ ପୋର୍ଟ୍ସ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଏବେ ଗଙ୍ଗାଭରମ୍ ପୋର୍ଟର ସମ୍ପୂର୍ଣ୍ଣ ସେୟାର କିଣି ନେଇଛି । ଗଙ୍ଗାଭରମ୍ ଆନ୍ଧ୍ରପ୍ରଦେଶର ତୃତୀୟ ବଡ଼ ଅଣ ପ୍ରମୁଖ ବନ୍ଦର ।
ଏହି ଡିଲ୍ ପାଇଁ କମ୍ପାନୀକୁ ଏନ୍ସିଏଲ୍ଟି ଅହମ୍ମଦାବାଦ ଏବଂ ଏନ୍ସିଏଲ୍ଟି ହାଇଦରାବାଦ ପକ୍ଷରୁ ଅନୁମତି ମିଳିଛି । ଆଦାନୀ ପୋର୍ଟ୍ସ ଆଣ୍ଡ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଦେଶର ସବୁଠାରୁ ବଡ଼ ପୋର୍ଟ୍ସ କମ୍ପାନୀ । ଏହା ପୂର୍ବରୁ ଗଙ୍ଗାଭରମ୍ ପୋର୍ଟର ୪୦ ପ୍ରତିଶତରୁ ଅଧିକ ସେୟାର ଆଦାନୀ ପାଖରେ ଥିଲା । ଏବେ କମ୍ପାନୀ ବଳକା ୫୮.୧ ପ୍ରତିଶତ ସେୟାର ମଧ୍ୟ କିଣି ନେଇଛି । କମ୍ପାନୀର ପୋର୍ଟଫୋଲିଓରେ କମ୍ପାନୀର ପୋର୍ଟ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି ।
ଗଙ୍ଗାଭରମ୍ ପୋର୍ଟର ଅଧିଗ୍ରହଣରେ ୧୨୦ ଟଙ୍କା ପ୍ରତି ସେୟାର ଦରରେ ୬ ହଜାର ୨ ଶହ କୋଟିର ୫୧୭ ମିଲିୟନ୍ ସେୟାର ରହିଛି । ଆଦାନୀ ପୋର୍ଟ୍ସ ସେୟାର ସ୍ୱାପ୍ ବ୍ୟବସ୍ଥା ମାଧ୍ୟମରେ ଡିବିଏସ୍ ରାଜୁ ଏବଂ ପରିବାର ଠାରୁ ୫୮.୧ ପ୍ରତିଶତର ସେୟାର ଅଧିଗ୍ରହଣ କରିବ । ଗଙ୍ଗାଭରମ୍ ପୋର୍ଟରେ ସବୁ ସମୟରେ ଗହୀର ପାଣି ରହିଥାଏ । ଏହା ୨ ଲକ୍ଷ ଡିଡବ୍ଲୁଟି ପର୍ଯ୍ୟନ୍ତ ସୁପର କ୍ୟାପ୍ ଆକାରର ଜାହାଜକୁ ସମ୍ଭାଳିବାକୁ ସକ୍ଷମ । ବର୍ତ୍ତମାନ ଏହା ୯ଟି ବର୍ଥରେ କାରବାର କରୁଛି ।
