
ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ସଂସଦର ବଜେଟ ଅଧିବେଶନରେ ମଙ୍ଗଳବାର ମଧ୍ୟ ଗୃହରେ ଆଦାନୀ ଝଡ଼ ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ କେନ୍ଦ୍ରର ମୋଦୀ ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ବଜେଟ ଅଧିବେଶନର ଷଷ୍ଠ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ହେଉଥିବା ଆଲୋଚନା ସମୟରେ ଭାରତ ଯୋଡୋ ଯାତ୍ରା ପରେ ଅଧିବେଶନରେ ଯୋଗଦେଇଥିବା ରାହୁଲ ସରକାରଙ୍କୁ ଟାର୍ଗେଟ କରଥିଲେ। ସେ ଦେଶରେ ବଢୁଥିବା ଦରଦାମ୍, ବେରୋଜଗାରୀ, ଅଗ୍ନିବୀର ଯୋଜନା ଓ ଆଦାନୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଓ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।
ରାହୁଲ କହିଛନ୍ତି ଯେ, ଗୌତମ ଆଦାନୀ ଯିଏକି ୨୦୧୪ରେ ବିଶ୍ଵ ଧନୀ ସୂଚୀର ୬୦୯ତମ ସ୍ଥାନରେ ଥିଲେ, ସେ କିପରି ଏତେ କମ୍ ଦିନ ମଧ୍ୟରେ ବିଶ୍ବର ଦ୍ୱିତୀୟ ଧନୀ ହୋଇଗଲେ । ଏ କି ପ୍ରକାର ଯାଦୁ? ଆଦାନୀଙ୍କ ମୋଟ ସଂପତ୍ତି ୮ ବିଲିୟନ ଡଲାରରୁ ୧୪୦ ବିଲିୟନ ଡଲାରକୁ କେମିତି ବୃଦ୍ଧି ପାଇଲା? ୨୦୧୪ରେ ବିଜେପି ସରକାରକୁ ଆସିଲା ମୋଦୀ ପ୍ରଧାନମନ୍ତ୍ରୀ ହେଲେ। ଆଉ ଏହା ପରେ ହିଁ ଆରମ୍ଭ ହେଲା ଆଦାନୀ ଯାଦୁ ବୋଲି କହି କଟାକ୍ଷ କରିବା ସହିତ ଆଦାନୀଙ୍କ ସହ ମୋଦି ବିମାନ ଯାତ୍ରା କରୁଥିବା ସମୟର ଫୋଟୋ ଦେଖାଇ ସରକାରଙ୍କୁ ଘେରିଛନ୍ତି ରାହୁଲ।
କେବଳ ସେତିକି ନୁହେଁ କିଛିଦିନ ଧରି ଲାଗିରହିଥିବା ଆଦାନୀ ବିବାଦକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ରାହୁଲ । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବିଦେଶ ଗ୍ରସ୍ତ ଦେଶର ବିକାଶ ପାଇଁ ନୁହେଁ ବରଂ ଆଦାନୀ ଗ୍ରୁପର ବିକାଶ ପାଇଁ ହେଉଛି । ରାହୁଲ ଗାନ୍ଧି ଆଦାନୀଙ୍କ ଏୟାରପୋର୍ଟ ବିଜନେସ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିନା ଅନୁଭବ ଥିବା କମ୍ପାନୀକୁ ଏହି କାର୍ଯ୍ୟ ମିଳୁନଥିଲା କିନ୍ତୁ ଗୌତମ ଆଦାନୀଙ୍କ କମ୍ପାନୀକୁ ଏହି କାମ ଦିଆଯାଇଥିଲା । ୬ଟି ବିମାନବନ୍ଦର ତାଙ୍କୁ ଦେଇ ଦିଆଗଲା । ଆଦାନୀଙ୍କ ପାଇଁ ବିମାନବନ୍ଦର ନିୟମ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ନିୟମ ଥିଲା ଯେ ଯଦି କେହି ବିମାନବନ୍ଦର ବ୍ୟବସାୟରେ ନଥାନ୍ତି,ତେବେ ସେମାନଙ୍କୁ ବିମାନ ବନ୍ଦରର କାମ ଦିଆଯାଏ ନାହିଁ। କିନ୍ତୁ ମୋଦୀ ସରକାର ଆଦାନୀଙ୍କ ପାଇଁ ଏହି ନିୟମ ପରିବର୍ତ୍ତନ କରିଥିଲେ।
ସେ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ସମୟରେ ସମଗ୍ର ଭାରତରେ ଗୋଟିଏ ନାମ ଶୁଣିବାକୁ ମିଳିଥିଲା ଏବଂ ତାହା ହେଉଛି ଆଦାନୀ। ଏହି ନାମ ଉଲ୍ଲେଖ କରି ଲୋକମାନେ ପଚାରିଥିଲେ ଯେ ଆଦାନୀ କୌଣସି ବ୍ୟବସାୟରେ ପ୍ରବେଶ କରନ୍ତି ଏବଂ ସଫଳ ହୁଅନ୍ତି, ବିଫଳ ହୁଏ ନାହିଁ । ଏହା କିପରି ସମ୍ଭବ? ପୂର୍ବରୁ ସେ ଗୋଟିଏ କିମ୍ବା ଦୁଇଟି ବ୍ୟବସାୟରେ ଥିଲେ, ଆଜି ସେ ୧୦ ଟି ବ୍ୟବସାୟରେ କାମ କରୁଛନ୍ତି।
ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ରୋନ ବନାଇବାର ଠିକା ମଧ୍ୟ ଆଦାନୀ ଗ୍ରୁପକୁ ମିଳିଛି । ଇସ୍ରାଏଲ ଯିବା ପରେ ପିଏମ ମୋଦୀ ଏହାର ଠିକା ଆଦାନୀକୁ ଦେଇ ଦେଇଛନ୍ତି, ଯାହାର କୌଣସି ଅନୁଭବ ଏହି ସେକ୍ଟରରେ ନାହିଁ । ରାହୁଲ ଗାନ୍ଧି କହିଛନ୍ତି, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଯାଦୁ ଆରମ୍ଭ ହୋଇଯାଇଛି । ଏହାସହ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ୪ଟି ପ୍ରଶ୍ନ କରିଛନ୍ତି । ପ୍ରଥମ ପ୍ରଶ୍ନରେ ସେ ପଚାରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ମିଳିତ ଭାବେ କେତେଥର ବିଦେଶ ଗସ୍ତ କରିଛନ୍ତି । ଦ୍ୱିତୀୟ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବା ବେଳେ ଗୌତମ ଆଦାନୀ ତାଙ୍କୁ କେତେଥର ଭେଟିବାକୁ ଯାଇଛନ୍ତି । ତୃତୀୟ ପ୍ରଶ୍ନ ଭାବେ ସେ ପଚାରିଛନ୍ତି କି, ପ୍ରଧାନମନ୍ତ୍ରୀ ଗୋଟିଏ ଦେଶ ଗସ୍ତକରି ଫେରିବା ପରେ ଗୌତମ ଆଦାନୀ ତୁରନ୍ତ ସେହି ଦେଶକୁ କାହିଁକି ଗସ୍ତ କରୁଥିଲେ । ପ୍ରଧାନମନ୍ତ୍ରୀ ଯେଉଁଦେଶ ଗସ୍ତ କରି ଫେରୁଥିଲେ ତା ପରେ କିଭଳି ଭାବେ ଆଦାନୀ ଗ୍ରୁପ ସେହି ଦେଶରେ ନିଜର ବ୍ୟବସାୟ ଆରମ୍ଭ କରୁଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।
ତେବେ ରାହୁଲଙ୍କ ଏହି ବୟାନ ଉପରେ ଆପତ୍ତି ପ୍ରକାଶ କରିଥିଲେ ଆଇନ୍ ମନ୍ତ୍ରୀ କିରଣ ରିଜଜୁ । ରାହୁଲଙ୍କୁ ରିଜିଜୁ କହିଥିଲେ ଯେ, କୌଣସି ପ୍ରମାଣ ନଥାଇ ଅନ୍ଧ ଭାବେ ଅଭିଯୋଗ କରନ୍ତୁ ନାହିଁ। ଆପଣ ଏବେ ଜଣେ ବରିଷ୍ଠ ସାଂସଦ। ଆପଣ ଦାୟିତ୍ୱସଂପନ୍ନ ହୋଇ ମନ୍ତବ୍ୟ ଦେବା ଉଚିତ୍। ଆମେ ଆଶା କରୁଛୁ ସଂସଦକୁ ଆପଣ ଗୁରୁତ୍ୱର ସହିତ ନେବେ। ବାହାରେ ଆପଣ ଯାହା କହିବା କଥା କହିପାରିବେ। ଏହାର ଜବାବରେ ରାହୁଲ ଗାନ୍ଧି କହିଥିଲେ ଆମେ ପ୍ରମାଣ ମଧ୍ୟ ଦେଇ ଦେବୁ । ଆଗକୁ କହିଥିଲେ, ମୁଁ ଭାରତ ଯୋଡୋ ଯାତ୍ରା ସମୟରେ ବହୁତ କିଛି ଶିଖିଛି । ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସବୁ ସ୍ଥାନରେ ଆଦାନୀଙ୍କ ନାଁ ଶୁଣିବାକୁ ମିଳିଥିଲା ବୋଲି ରାହୁଲ କହିଥିଲେ ।