ଗାଙ୍ଗୁଲି ପରିଶ୍ରମ କରୁନଥିଲେ କେବଳ କ୍ୟାପଟେନ ହେଇ ରହିବାକୁ ଚାହୁଁଥିଲେ : ଗ୍ରେଗ ଚାପେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ କ୍ରିକେଟର ଅନ୍ୟତମ ମନେରଖିବା ମୁହୂର୍ତ ହେଉଛି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ ଚାପେଲ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଥିବାର ସମୟ । ଚାପେଲ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର କୋଚ୍ ଥିଲେ। ଗାଙ୍ଗୁଲି ଓ ଚାପେଲ ଦୁଇଜଣକ ମଧ୍ୟରେ ସମ୍ପର୍କ କୁ ନେଇ ପ୍ରଶଂସକ ଏବଂ ଗଣମାଧ୍ୟମ ପାଟିରେ ସବୁବେଳେ ଚର୍ଚାରେ ରହିଆସିଛନ୍ତି।ଗ୍ରେଗ ଚାପେଲ ପୁଣିଥରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ବିଷ ଓଗାଳିଛନ୍ତି । ସେ କହିଛନ୍ତି ଯେ ଗାଙ୍ଗୁଲି ନିଜ ଖେଳରେ ସୁଧାର କରିବାକୁ ଚାହୁଁନଥିଲେ କେବଳ ଟିମ୍ ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଥିଲେ । ଗାଙ୍ଗୁଲିଙ୍କୁ ଟିମରୁ ବାହାର କରିବାରେ ଚାପେଲଙ୍କର ହାତ ରହିଥିଲା । ଚାପେଲଙ୍କ କୋଚିଂ ସମୟରେ ଭାରତ ୨୦୦୭ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ହିଁ ବିଦାୟ ନେଇଥିଲା । କ୍ରିକେଟ୍ ଲାଇଫ୍ ଷ୍ଟୋରିଜ୍ ପୋଡକାଷ୍ଟକୁ ସାକ୍ଷାତକାର ଦେବା ଅବସରରେ ଚାପେଲ କହିଛନ୍ତି ଯେ ଟିମ୍ ଇଣ୍ଡିଆର କୋଚ୍ ଥିବା ବେଳେ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା, କାରଣ ତାଙ୍କଠାରୁ ବହୁତ ଅଧିକ ଆଶା କରାଯାଉଥିଲା । ଚାପେଲ କହିଛନ୍ତି, ଭାରତରେ ଦୁଇ ବର୍ଷ ପ୍ରତ୍ୟେକ ଦିଗରୁ ଚ୍ୟାଲେଞ୍ଜ ଥିଲା। କେତେକ ପ୍ରସଙ୍ଗ ଗାଙ୍ଗୁଲି ଅଧିନାୟକ ହେବାରେ ଲାଗିଥିଲା। ସେ ବିଶେଷ ଭାବରେ ପରିଶ୍ରମ କରିବାକୁ ପସନ୍ଦ କରନ୍ତି ନାହିଁ | ସେ ପ୍ରକୃତରେ ନିଜ କ୍ରିକେଟରେ ଉନ୍ନତି ଆଣିବାକୁ ଚାହୁଁ ନଥିଲେ। ସେ କେବଳ ଅଧିନାୟକ ଭାବରେ ଦଳରେ ରହିବାକୁ ଚାହୁଁଥିଲେ। ତେନ୍ଦୁଲକର, ସେହୱାଗ, ଦ୍ରାବିଡ ଏବଂ କୁମ୍ବଲେ, କିଛି ଯୁବ ଖେଳାଳିଙ୍କ ସହ କାମ କରିବା ଏହା ଏକ ଚ୍ୟାଲେଞ୍ଜ ଏବଂ ଚମତ୍କାର ଥିଲା ବୋଲି କହିଛନ୍ତି। ଚାପେଲ ପୁଣି କହିଛନ୍ତି ଯେ ଭାରତୀୟ ଦଳର କୋଚ୍ କରିବା ପାଇଁ ଗାଙ୍ଗୁଲି ହିଁ ତାଙ୍କୁ ଯୋଗାଯୋଗ କରିଥିଲେ । ସେତେବେଳେ ଅଷ୍ଟ୍ରେଲିଆ ଟିମର କୋଚ୍ ଥିଲେ ଜନ୍ ବୁକାନନ୍ । ଏଭଳି ସ୍ଥିତିରେ ଚାପେଲ ନିଷ୍ପତ୍ତି ନେଇଥିଲେ ଯେ ଯଦି ନିଜ ଦେଶ ନୁହେଁ ତ ଦୁନିଆର ସବୁଠାରୁ ମଜଭୁତ୍ ଟିମ୍ ଭାରତର କୋଚ୍ ହେବେ । ହେଲେ ଯେଉଁ ଗାଙ୍ଗୁଲି ଚାପେଲଙ୍କୁ ଟିମର କୋଚ୍ କରାଇଥିଲେ, ସେହି ଚାପଲେ ହିଁ ଦାଦାଙ୍କୁ ଟିମରୁ ବାହାରର ରାସ୍ତା ଦେଖାଇଥିଲେ ।

Related Posts