ଶିବସୁନ୍ଦର ହେଲେ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଓଡ଼ିଆ ତାରକା ଖେଳାଳୀ ଶିବସୁନ୍ଦର ଦାସଙ୍କୁ ବିସିଆଇ ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଗାମୀ ଇଂଲଣ୍ଡ ଟୁର୍ ପାଇଁ ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି। ଶିବ ସୁନ୍ଦର ଏହା ପୂର୍ବରୁ ଭାରତୀୟ ମହିଳା-ଏ ଟିମ୍ ସହ କାମ କରିସାରିଛନ୍ତି ।ସେହିପରି ଦିଲ୍ଲୀର ପୂର୍ବତନ ୱିକେଟକିପର ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସିନିୟର ମହିଳା ଟିମର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇ ଶିବସୁନ୍ଦର ଦାସ ବହୁତ ଖୁସି ହୋଇଛନ୍ତି। ଶିବସୁନ୍ଦର ଦାସ କହିଛନ୍ତି ଯେ ମହିଳା ଟିମ୍‌ର ଆସନ୍ତା ଇଂଲଣ୍ଡ ଟୁର୍ ମୋ ପାଇଁ ଚାଲେଞ୍ଜିଂ ରହିବ। ପ୍ରଥମଥର ଲାଗି ମୁଁ ଭାରତୀୟ ମହିଳା ଟିମ୍ ସହ କାମ କରିଛି । ତେଣୁ ଏହା ମୋ ପାଇଁ ଏକ ରୋମାଞ୍ଚକର ସମୟ । ମୁଁ ମୋ ଦାୟିତ୍ୱ ବହନ କରିବାକୁ ନେଇ ଉତ୍ସାହିତ। ମୋ ପାଇଁ ଏହି ଦାୟିତ୍ୱ ନିଶ୍ଚିତ ଚ୍ୟାଲେଞ୍ଜିଂ ହେବ, କାରଣ ମୁଁ ଜଣେ ଖେଳାଳି ଭାବେ ଇଂଲଣ୍ଡ ଗସ୍ତ କରିଛି ଏବଂ ସେଠାରେ ଅନେକ ଲିଗ୍ କ୍ରିକେଟ୍‌ ଖେଳିଛି । ସେଠାକାର ପରିବେଶ ସହ ମୁଁ ପରିଚିତ ଅଛି। ତେଣୁ ମୁଁ ମୋର ଅଭିଜ୍ଞତାକୁ ଟିମ୍ ସହ ବାଣ୍ଟିବାକୁ ଚାହିଁବି। ଏବେ ମୋର ସମ୍ପୂର୍ଣ୍ଣ ଫୋକସ୍ ଇଂଲଣ୍ଡ ଟୁର୍ ଉପରେ ରହିବ। ଶିବସୁନ୍ଦର ଓଡ଼ିଶାର ଅନ୍ୟତମ ଖେଳାଳି ଭାବେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଛନ୍ତି । ତାଙ୍କ ବ୍ୟତୀତ ଦେବାଶିଷ ମହାନ୍ତି ମଧ୍ୟ ଭାରତ ପକ୍ଷରୁ କ୍ରିକେଟ୍ ଖେଳିଛନ୍ତି। ବର୍ତ୍ତମାନ ଦେବାଶିଷ ଭାରତୀୟ ପୁରୁଷ ସିନିୟର ଟିମର ସିଲେକ୍ସନ୍ କମିଟିର ସଦସ୍ୟ ଅଛନ୍ତି ।ଶିବ ସୁନ୍ଦର ଭାରତ ପକ୍ଷରୁ ୨୩ ଟେଷ୍ଟ ଓ ୪ଟି ଦିନିକିଆ ଖେଳିଛନ୍ତି । ସେ ଦୁଇଟି ଶତକ ଓ ୯ଟି ଅର୍ଦ୍ଧଶତକ ସହ ୩୪.୮୯ ହାରରେ ୧୩୨୬ ଟେଷ୍ଟ ରନ୍ କରିଛନ୍ତି । ସୂଚନା ଅନୁଯାଇ, ଆରମ୍ଭ ହେବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ପ୍ରଥମେ ଜୁନ୍ ୧୬ ହେବ ତା’ପରେ ଜୁନ୍ ୨୭ ରୁ ତିନୋଟି ଦିନିକିଆ ଏବଂ ଉଭୟ ଦଳ ଜୁଲାଇ ୯ ରୁ ତିନୋଟି ଟି -୨୦ ମ୍ୟାଚ୍ ଖେଳାଯିବ ।

Related Posts