ଦୁଇଟି ସାଂଗଠାନିକ ଜିଲ୍ଲାରେ ବିଭକ୍ତ ହେବ ଗଞ୍ଜାମ ଜିଲ୍ଲା କଂଗ୍ରେସ !

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। ଶାସକ ବିଜେଡି, ବିଜେପିଠାରୁ ଆରମ୍ଭ କରି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ସାଂଗଠନିକ ବିନ୍ୟାସ। ଏକଦା କଂଗ୍ରେସର ଗଡ଼ ଭାବେ ଥିବା ଗଞ୍ଜାମ ଜିଲ୍ଲାରେ ଏବେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି।ଏହାକୁ ଦୃଷ୍ଟିରେ ରଖି ଏବଂ ସଂଗଠନକୁ ସୁଦୃଢ଼ କରିବାପାଇଁ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ଭାଗ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଦଳର ଆଭ୍ୟନ୍ତରୀଣ ମହଲରୁ ସୂଚନା ମିଳିଛି।

ଜିଲ୍ଲାରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ମଜଭୁତ୍‌ ରହିଥିବା ବେଳେ ୨୦୦୦ ମସିହା ପରଠାରୁ ଦଳୀୟ ନେତାଙ୍କ ଗୋଷ୍ଠୀକନ୍ଦଳ ହେଉ ଅବା ନେତୃତ୍ବ ବିବାଦ ହେଉ ଜିଲ୍ଲାରେ ଦଳର ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦୧୯ ନିର୍ବାଚନ ପୂର୍ବରୁ ଦଳର ଟାଣୁଆ ନେତାମାନେ ଦଳବଦଳ କରିବାପରେ କଂଗ୍ରେସର ସ୍ଥିତି ଜିଲ୍ଲାରେ ଅଧିକ ବିଗିଡ଼ି ଯାଇଛି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭକରି ପୌର ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ବି ଦଳର ପ୍ରଦର୍ଶନ ଆଖିଦୃଶିଆ ହୋଇପାରିନାହିଁ। ସାଂଗଠନିକ ଦୁର୍ବଳତା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ଆଜି ବି ଦଳରେ ଗୋଷ୍ଠୀକନ୍ଦଳ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ଦୁଇଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରାଯିବ। ଦୁଇଟି ସଂସଦୀୟ କ୍ଷେତ୍ରକୁ ନେଇ ଦୁଇଟି ସାଂଗଠନିକ ଜିଲ୍ଲା କରାଯିବ। ଆସିକା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରକୁ ନେଇ ଗଞ୍ଜାମ ସାଂଗଠନିକ ଜିଲ୍ଲା ପାଇଁ ଯୋଜନା ହେଉଥିବାବେଳେ ବ୍ରହ୍ମପୁର ସାଂଗଠନିକ ଜିଲ୍ଲାରେ ଗଜପତି ଜିଲ୍ଲା ବି ସାମିଲ ରହିବ।

ରାଜ୍ୟରେ କଂଗ୍ରେସର ୩୦ଟି ସାଂଗଠନିକ ଜିଲ୍ଲା ରହିଥିବାବେଳେ ୧୯୯୫ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଭୁବନେଶ୍ବର, କଟକ ଓ ରାଉରକେଲାକୁ ନେଇ ଅଧିକା ୩ଟି ସାଂଗଠନିକ ଜିଲ୍ଲା ଗଠନ କରିଥିଲେ। ସେହିସମୟରେ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ଭାଗ କରିବାକୁ ଚିନ୍ତା କରାଯାଇଥିଲେ ମଧ୍ୟ ସ୍ଥାନୀୟନେତାଙ୍କ ଚାପ ଫଳରେ ଏହା କାର୍ଯ୍ୟକାରୀ ହୋଇ ପାରିନଥିଲା। ନୂତନ ପିସିସି ସଭାପତି ଭାବେ ଶରତ କୁମାର ପଟ୍ଟନାୟକ ଦାୟିତ୍ବ ନେବାପରେ କେନ୍ଦ୍ର ନେତୃତ୍ବ ସହ ଆଲୋଚନା କରି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରି ଦୁଇଟି ଅଧିକା ସାଂଗଠନିକ ଜିଲ୍ଲା ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। କମ୍‌ଦିନ ମଧ୍ୟରେ ଏ ସମ୍ପର୍କରେ ଘୋଷଣା କରିଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

Related Posts