“ମୁଁ ମୋ ଇଚ୍ଛା ଅନୁସାରେ ଜାତୀୟ ପତାକା ଉଡ଼ାଇବି, ବିଜେପି ଆମକୁ କ’ଣ ପତାକା ଉଡ଼ାଇବା ଶିଖାଇବ?”- ମମତା ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତିରଙ୍ଗା’ ଅଭିଯାନକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବେହେଲାଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାଦିନରୁ ଜାତୀୟ ପତାକା ଉତ୍ତୋଳନ କରିଆସୁଛୁ। ଏଥିରେ ଶିଖାଇବାର କୌଣସି ଆବଶ୍ୟକତା ନାହିଁ।ମୁଁ ମୋ ଇଚ୍ଛା ଅନୁସାରେ ପତାକା ଉଡ଼ାଇବି। ସେମାନେ (ଭାଜପା) ଆମକୁ କ’ଣ ଜାତୀୟ ପତାକା ଉଡ଼ାଇବା ଶିଖାଇବେ?

ଦେଶ ସହ ଯୋଡି ହେବାର ଉପାୟ ବାଣ୍ଟିବାକୁ ମମତା ବାନାର୍ଜୀ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, “ଆମେ, ଭାରତର ଲୋକ। ଆମର ସଂସ୍କୃତି, ପରମ୍ପରା, ଭାଷା, ପୋଷାକ ଏବଂ ରୀତିନୀତି ଅଲଗା। ତଥାପି, ଆମେ ଏକ। ଦେଶ ପ୍ରତି ଆମର ପ୍ରେମ ଆମକୁ ଏକାଠି କରି ବାନ୍ଧେ। ଭାରତ ସହିତ ଆମର ପବିତ୍ର ସଂଯୋଗ ଆମକୁ ଏକତ୍ର କରେ। ସ୍ବାଧୀନତାର ୭୫ ବର୍ଷ ପୂରଣ ହୋଇଛି। ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ମାତୃଭୂମି ସହିତ ଆମର ବନ୍ଧନକୁ ମଜଭୁତ କରିବା।” ମମତା ଆହୁରି କହିଛନ୍ତି “ମୁଁ ତୁମ ସମସ୍ତଙ୍କୁ ତୁମର ଅନୁଭବ ବାଣ୍ଟିବାକୁ ଆମନ୍ତ୍ରଣ କରୁଛି, ମୋତେ କୁହନ୍ତୁ ଆମର ଗର୍ବିତ ରାଷ୍ଟ୍ର ସହିତ କିପରି ଯୋଡି ହୋଇ ରହିବ? ଲୋକଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଟିଏମସି ପକ୍ଷରୁ #MyIdeaForIndiaAt75 ଡିଜିଟାଲ ଅଭିଯାନ ଆରମ୍ଭ ହୋଇଛି।”

ମମତା ବାନାର୍ଜୀ ସିବିଆଇ ଦ୍ୱାରା ଦଳର ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିବା ନେଇ ପ୍ରଶ୍ନ ଉଠାଇଥିଲେ। ବିନା ପ୍ରମାଣରେ ଆପଣ ଜଣେ ବ୍ୟକ୍ତିଙ୍କୁ କିପରି ଅଭିଯୁକ୍ତ ବନେଇ ପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ଅଣ ଏନଡିଏ ନେତୃତ୍ୱାଧୀନ ସରକାରଗୁଡିକୁ ହଟାଇବାକୁ ଚେଷ୍ଟା କରୁଛି। ଭାଜପା ତାଙ୍କୁ ଭୟ କରୁଛି, ତେଣୁ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଏଜେଣ୍ଡା ପ୍ରସ୍ତୁତ କରୁଛି ବୋଲି ମମତା କହିଛନ୍ତି।

Related Posts