ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର ସହ ତାଳ ଦେଇ ବଢ଼ିଲା ସିଏନଜି ଦର: କେଜି ପିଛା ୨.୫ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଏବେ ସବୁ ସାମଗ୍ରୀର ଦର ଆକାଶ ଛୁଆ ହେବାକୁ ବସିଲାଣି | ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦର ଏବେ ବଢିବାକୁ ଲାଗିଛି | ଲୋକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ, ପେଟ୍ରୋଲ, ଡିଜେଲ, ଏଲପିଜି ସିଲିଣ୍ଡର ଦର ସହ ତାଳ ଦେଇ ଏବେ ସିଏନଜି ଦାମ ମଧ୍ୟ ବୃଦ୍ଧି ପାଇଛି। ଆଜିଠାରୁ ଆଇଜିଏଲ ଦିଲ୍ଲୀରେ ସିଏନଜି ଦାମକୁ କେଜି ପିଛା ୨.୫ ଟଙ୍କା ବଢ଼ାଇଛି। ଫଳରେ ୧ କେଜି ସିଏନଜିର ଦାମ ୬୪.୧୧ ଟଙ୍କାରେ ପହଞ୍ଚି ଯାଇଛି। ଆଜି ସକାଳୁ ହିଁ ଏହି ଦର ଲାଗୁ ହୋଇଛି।

ଦର ବୃଦ୍ଧି ଯୋଗୁ ଦିଲ୍ଲୀର କ୍ୟାବ୍ ଡ୍ରାଇଭରମାନେ ବଡ଼ ପଦକ୍ଷେପ ନେଇଛନ୍ତି। ଅସହ୍ୟ ଗରମ ସତ୍ତ୍ୱେ ସେମାନେ ଦର ବୃଦ୍ଧିକୁ ବିରୋଧ କରି ନିଜ କାରରେ ଏସି ଅନ୍ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଛନ୍ତି, “ଦର ବୃଦ୍ଧି ଯୋଗୁ ଆମେ ସମସ୍ୟାରେ ପଡ଼ୁଛୁ। ଏଣିକି କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆମେ ଆଉ ଏସି ଅନ୍ କରିବାକୁ ନାହିଁ। ଏସି ଦ୍ୱାରା ଅଧିକ ଗ୍ୟାସ୍‌ ଖର୍ଚ୍ଚ ହେଉଛି।”

ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା। ଗ୍ୟାସ୍‌ ଇନପୁଟ ଦାମ ବଢ଼ୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି।

ସୂଚନାଯୋଗ୍ୟ, ଆଜି ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ଦିଲ୍ଲୀରେ ୪୦ ପଇସା ଲେଖାଏ ମହଙ୍ଗା ହୋଇଛି। ଏହାକୁ ମିଶାଇ ୧୪ ଦିନରେ ତୈଳଦର ଲିଟର ପିଛା ପ୍ରାୟ ୮.୪୦ ଟଙ୍କା ବଢ଼ିଲାଣି।

ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ପେଟ୍ରୋଲ ଓ ଡିଜେଲ ମୂଲ୍ୟ କିଛି ସମୟ ସ୍ଥିର ରଖା ଯାଇଥିଲା। ରାଜ୍ୟମାନଙ୍କରେ ନୂଆ ସରକାର ଗଠନ ସହ ପୁଣି ତୈଳ ଦର ମହଙ୍ଗା ହେବ ବୋଲି ବିରୋଧୀ ଦଳମାନେ କରିଥିବା ପୂର୍ବାନୁମାନ ଏବେ ସତ୍ୟ ସାବ୍ୟସ୍ତ ହୋଇଛି। ଏହା ପୂର୍ବରୁ କେନ୍ଦ୍ର ସରକାର କେବଳ ଡିଜେଲ ଦର ମୂଲ୍ୟରେ ଲିଟର ପିଛା ୨୫ ଟଙ୍କା ମହଙ୍ଗା କରିଥିଲେ।

Related Posts