ଭାଙ୍ଗିଲା ଯୋବ୍ରା ବ୍ୟାରେଜ୍‌ର ୨୨ ନମ୍ବର ଗେଟ୍‌, ମାଛ ମାରିବା ପାଇଁ ଗେଟ୍‌କୁ ଟେକି ଦେଇଥିଲେ ମତ୍ସ୍ୟଜୀବୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାଙ୍ଗିଲା ଯୋବ୍ରା ବ୍ୟାରେଜ୍‌ର ୨୨ ନମ୍ବର ଗେଟ୍‌ । ସୂଚନା ଅନୁସାରେ, ଜଣେ ମହିଳା ମତ୍ସ୍ୟଜୀବୀ ବ୍ୟାରେଜ୍‌ରୁ ମାଛ ମାରିବା ପାଇଁ ଉକ୍ତ ଗେଟ୍‌କୁ ସ୍କ୍ରୁ ଲଗାଇ ଟେକି ଦେଇଥିଲେ । ଗେଟ୍‌ଟି ଅସୁରକ୍ଷିତ ଭାବେ ଅଧା ଟେକା ହୋଇ ଦୀର୍ଘ ସମୟ ରହିବା ପରେ ପାଣି ମାଡରେ ତାହା ପ୍ରଥମେ ବଙ୍କା ହୋଇଯାଇଥିଲା ।

ସୌଭାଗ୍ୟବଶତଃ ଗେଟ୍‌ଟି ସମ୍ପୂର୍ଣ୍ଣ ଛିଡି ପାଣିରେ ଭାସି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । କାରଣ ଗେଟ୍‌ ଉପରେ ଲାଗିଥିବା ଲୁହା ଜଞ୍ଜିର ଏହାକୁ ଭାସି ଯିବାରୁ ରକ୍ଷା କରି ଦେଇଥିଲା । ଖବର ପାଇ ବ୍ୟାରେଜ ଡିଭିଜନର ଅଧିକାରୀମାନେ ଘଟଣାସ୍ଥଳକୁ ଆସି ଉକ୍ତ ଗେଟ୍‌କୁ ଷ୍ଟପ୍‌ ଲକ୍‌ ମାଧ୍ୟମରେ ପକାଇ ପାଣି ବନ୍ଦ କରିଥିଲେ । ଉକ୍ତ ଗେଟ୍‌କୁ ଏବେ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।ତେବେ ଯୋବ୍ରା ବ୍ୟାରେଜ୍‌ର ଦୁର୍ବଳ ଗେଟ୍‌ ଗୁଡିକ ମଧ୍ୟରୁ ୨୨ ନମ୍ବର ଗେଟ୍‌ଟି ସବୁଠୁ ଦୁର୍ବଳ ଥିବା ସୂଚନା ମିଳିଛି।

ଅନ୍ୟପଟେ ବ୍ୟାରେଜ୍‌ରେ ମାଛ ମାରିବାକୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଏହାର କୌଣସି ପ୍ରଭାବ ମତ୍ସ୍ୟଜୀବୀଙ୍କ ଉପରେ ପଡୁନାହିଁ । ବ୍ୟାରେଜ୍‌ରୁ ମାଛ ମାରିବାକୁ ବନ୍ଦ କରିବା ପାଇଁ ନିୟମିତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଥିବା ବେଳେ ପୁଲିସ ଏବେ ମତ୍ସ୍ୟଜୀବୀଙ୍କ ସହିତ ଭିତିରି ସମ୍ପର୍କ ରଖିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହେଇଛି । ସୋମବାର ବ୍ୟାରେଜ୍‌ ଡିଭିଜନ ପକ୍ଷରୁ ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବ ବୋଲି ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଯୋବ୍ରା ବ୍ୟାରେଜ୍‌ ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବ୍ୟାରେଜ୍‌ର ଗେଟ୍‌ଗୁଡିକ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛି। ୩୭ ବର୍ଷ ଧରି ଏହିସବୁ ଗେଟ୍‌ର କୌଣସି ମରାମତି କରାନଯିବାରୁ ୯୫ଟି ଗେଟ୍‌ରୁ ୨୪ଗେଟ୍‌ ଅବସ୍ଥା ଏବେ ସାଂଘାତିକ୍‌ । ଆଉ ୪୮ଟି ଗେଟ୍‌ର ଅବସ୍ଥା ମରାମତି ଅଥବା ପୁନଃସ୍ଥାପନ ପାଇଁ ଅପେକ୍ଷା କରିଛି । ଏହିସବୁ ଗେଟ୍‌କୁ ବଦଳାଯିବା ତଥା ମରାମତି ପାଇଁ ୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କିଛି ମାସ ତଳେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ବ୍ୟାରେଜ୍‌ର ଡ୍ରୋନ୍‌ କ୍ୟାମେରା ସହାୟତାରେ ଯାଞ୍ଚ କରାଯାଇଥିଲା । ଏଥିରେ ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନେ ଭାଗ ନେଇଥିଲେ ।

ଏହି ସର୍ଭେରୁ ଜଣାପଡ଼ିଥିଲା ଯେ, ଯୋବ୍ରାର ୯୫ଟି ଗେଟ୍‌ରୁ ୨୪ଟି ଗେଟ୍‌ ଅବସ୍ଥା ସଙ୍କଟାପନ୍ନ ରହିଛି । ଅର୍ଥାତ ଏହି ୨୪ଟି ଯାକ ଗେଟ୍‌କୁ ସମ୍ପୂର୍ଣ୍ଣ ଭାବେ ବଦଳାଯିବ । ଏଥିସହ ଆହୁରି ୪୮ଟି ଗେଟ୍‌ ଖରାପ ଆଡକୁ ଗତି କରୁଛି । ଏଥିରୁ କେତେକ ଗେଟ୍‌କୁ ମରାମତି କରଯିବ । ଆଉ କିଛି ଗେଟ୍‌କୁ ପୁନଃସ୍ଥାପନ କରାଯିବ । କେବଳ ଏହି ଗେଟ୍‌ ଅବସ୍ଥା ଖରାପ ନୁହଁ ବ୍ୟାରେଜ୍‌ର ତଳପଟରେ ଥିବା ‘କଂକ୍ରିଟ୍‌ ବ୍ଲକ୍‌’ ମଧ୍ୟ ଦବିଗଲାଣି । ଏହି କଂକ୍ରିଟ୍‌ ବ୍ଲକ୍‌ ଦବିଲେ ବ୍ୟାରେଜ୍‌ ତଳ ଦେଇ ନିଷ୍କାସିତ ହେଉଥିବା ପାଣି ବ୍ୟାରେଜ୍‌ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି।

Related Posts