ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀ ସଂଗଠନର ଧମକ

ଶ୍ରୀନଗର: କଂଗ୍ରେସରୁ ଇସ୍ତଫା ଦେବା ପରେ ଏବେ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି ଗୁଲାମ ନବୀ ଆଜାଦ । ତେବେ ତା ପୂର୍ବରୁ ତାଙ୍କୁ ଧମକ ମିଳିଛି । ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ସହ ଲିଙ୍କ ଥିବା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ସଂଗଠନ ପକ୍ଷରୁ ଗୁଲାମକୁ ଧମକ ଦିଆଯାଇଛି। ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ସୋଶାଲ ମିଡିଆରେ ଭାଇରାଲ କରାଯାଉଛି। ପୋଷ୍ଟରେ ଆଜାଦଙ୍କୁ ଦଳ ବଦଳାଉଥିବା ରାଜନେତା ଭାବେ ଆକ୍ଷେପ କରାଯାଇଛି। ଏଥିରେ କୁହାଯାଇଛି ଯେ ଜମ୍ମୁ-କଶ୍ମୀର ରାଜନୀତିରେ ଦଳ ବଦଳ କରୁଥିବା ଗୁଲାମ ନବୀ ଆଜାଦଙ୍କ ଏଣ୍ଟ୍ରି ହଠାତ୍‌ ହୋଇନାହିଁ।

ଏହା ଏକ ଯୋଜନାବଦ୍ଧ ରଣନୀତିର ଅଂଶ ବିଶେଷ। ସେ ନିଜର ପୂର୍ବ ରାଜନୀତିକ ଦଳରେ ଥିବା ବେଳେ ଏନେଇ ଯୋଜନା ପ୍ରସ୍ତୁତ କରିଥିଲେ। ନିଜର ଦଳ ବଦଳ କରିବା ପୂର୍ବରୁ ଆଜାଦ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏନଏସଏ ଅଜିତ ଡୋଭାଲଙ୍କୁ ମଧ୍ୟ ଆଉ ଏକ ରୁଦ୍ଧଦ୍ୱାର ବୈଠକକୁ ଡକରାଯାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ଏନଏସ୍‌ଏ ଓ ବିଜେପି ବିସ୍ଥାପିତ କଶ୍ମୀର ପଣ୍ଡିତ କାର୍ଡ ଖେଳୁଥିଲେ ଓ ସେମାନଙ୍କୁ ନିଜ ଫାଇଦା ପାଇଁ ଏବେ ବି ବ୍ୟବହାର କରୁଛନ୍ତି। ରାହୁଲ ନାମକ ଜଣେ ଗର୍ଦାର ଏନଏସଏ ସହ ଯୋଗଯୋଗରେ ରହିଥିଲା। ତା’ ବିଷୟରେ ଖବର ପାଇବା ପରେ ତା’କୁ ଓ ଆଉ ଜଣେ ଗର୍ଦାରକୁ ରେଜିଷ୍ଟାନ୍ସ ଯୋଦ୍ଧାମାନେ ଖତମ କରିଛନ୍ତି।

ଏବେ ବି ବିସ୍ଥାପିତ କଶ୍ମୀର ପଣ୍ଡିତ କ୍ୟାମ୍ପରେ ରାହୁଲ ଭଳି ଅନେକ ଏଜେଣ୍ଟ ରହିଛନ୍ତି। ଖୁବଶୀଘ୍ର ସେମାନଙ୍କ ପରିଚୟ ଠାବ କରି ସମସ୍ତଙ୍କୁ ଖତମ କରାଯିବ। କିନ୍ତୁ ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ଯେ ସେମାନେ ପ୍ଲାନ ଏ’ରେ ମାତ ଖାଇବାରୁ ଏବେ ଦଳବଦଳ କରୁଥିବା ଗୁଲାମ ନବୀ ଆଜାଦଙ୍କ ଦ୍ୱାରା ପ୍ଲାନ ବି’କୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ରେଜିଷ୍ଟାନ୍ସ ଫୋର୍ସ ଓ ଏସ୍‌ ଗୁଇନ୍ଦା ୟୁନିଟ ସମସ୍ତଙ୍କ ଉପରେ ନଜର ରଖିଥିବା ପୋଷ୍ଟରେ ଲେଖାଯାଇଛି।

କିଛି ଦିନ ତଳେ ଗୁଲାମ ନବୀ ଆଜାଦ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରି କଶ୍ମୀର ରାଜନୀତିରେ ଫୋକସ କରିଛନ୍ତି। ସେ ନିଜର ସ୍ୱତନ୍ତ୍ର ରାଜନୀତିକ ଦଳ ମଧ୍ୟ ଗଠନ କରିଛନ୍ତି। ଏହିକ୍ରମରେ ସେ କଶ୍ମୀରରେ ରାଲି କରିବାର ରହିଛି। କିନ୍ତୁ ଏହା ପୂର୍ବରୁ ଟିଆରଏଫ ତାଙ୍କୁ ଟାର୍ଗେଟ କରିଛି

Related Posts