ବିଜେଡି ଆମ ଡଙ୍ଗାରେ ବସି ପାର ହୋଇଛି, ହେଲେ ୨୦୨୪ରେ ଲଢେ଼ଇ ହେବ ଆଉ ରାଜ୍ୟରେ ବିଜେପି ସରକାର ଆସିବ: ରବି ନାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରସ୍ତୁତ ହେଉଛି ବିଜେପି। ଏଥିପାଇଁ ଦଳ ପକ୍ଷରୁ ପୁରୀରେ ୩ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରିଛି ଦଳ। ଏହି ଶିବିରରେ ନିର୍ବାଚନ ପାଇଁ ରଣନୀତି ଓ ସଙ୍ଗଠନ କୁ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି । ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ରବି ନାୟକ। ସେ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସରକାର ଆସିବ ବୋଲି ସେ କହିଛନ୍ତି । କେନ୍ଦ୍ରର ଯେଉଁ ସବୁ ଲୋକାଭିମୁଖୀ ଯୋଜନା ହୋଇଛି, ବିକାଶ ହୋଇଛି ସେଥିପାଇଁ ଭାରତୀୟ ଜନତା ପାର୍ଟି ହିଁ ସରକାର ଗଢିବ । ବିଜେଡିର ଯାହା ବି ଚ୍ୟାଲେଞ୍ଜ ଅଛି ତାକୁ ଗ୍ରହଣ କରି ଲଢ଼େଇ ହେବ । ବିଜେଡି ଆମ ଡଙ୍ଗାରେ ବସିକି ପାର ହୋଇଛି, ସେ କଣ କହିବ ? ତାର ସେ କହିବାର ଅଧିକାର ନାହିଁ ବୋଲି କହିଛନ୍ତି ରବି ନାୟକ । ସେ ଆହୁରି ମଧ୍ୟ କହିଛନ୍ତି, ତୃଣମୂଳ ସଂଗଠନ ମଜଭୁତ, କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ବିଜେପିର ଫୋକସ ରହିଛି । ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟକର୍ତ୍ତାମାନଙ୍କୁ ବିଜେପିର ବିଚାରଧାରା ସମେତ ଅନେକ କିଛି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଯାହାକି ଦଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବ ।

ଅନ୍ୟପଟେ ଏହି ପ୍ରଶିକ୍ଷଣ ଶିବିରରେ ୨୦୨୪ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ପ୍ରତିକ୍ରିୟା ଦେଇ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନଥିବା ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବୁଥ ସ୍ତରରେ ଆନ୍ଦୋଳନ କରିବ ବିଜେପି । କେନ୍ଦ୍ର ଯୋଜନା ଲୋକଙ୍କ ନିକଟକୁ ପହଞ୍ଚାଇବା ସହିତ ବୁଥ ସ୍ତରରେ ଦଳକୁ କିଭଳି ମଜବୁତ କରାଯିବ ସେ ନେଇ ବିଜେପି ରୋଡ଼ମ୍ୟାପ ପ୍ରସ୍ତୁତ କରିଛି ବୋଲି ସେ କହିଛନ୍ତି।

Related Posts