ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ଗୁଲାନ ନବୀ ଆଜାଦ: ସେ କେବଳ ଫଟୋ ସେସନ ଓ ଧାରଣା ଦେବାକୁ ଉପଯୁକ୍ତ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଗୁଲାନ ନବୀ ଆଜାଦ। ତେବେ ତାଙ୍କ ଇସ୍ତଫା କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଏନେଇ ସେ ବିଭିନ୍ନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ତେବେ ସେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ଆଜାଦ।

ରାହୁଲ କେବଳ ଫଟୋ ସେସନ ଓ ଧାରଣା ଦେବାକୁ ଉପଯୁକ୍ତ। ସେ ଦଳ ପାଇଁ ନୁହେଁ ବୋଲି ଶ୍ରୀ ଆଜାଦ କହିଛନ୍ତି। ଗତ ୫୦ ବର୍ଷର ରାଜନୈତିକ ସମ୍ପର୍କ ତୁଟାଇ ଶୁକ୍ରବାର(ଅଗଷ୍ଟ ୨୬)କଂଗ୍ରେସରୁ ଇସ୍ତଫା ଦେଇଥିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଦଳରେ ରାହୁଲଙ୍କର ଅପରିପକ୍ୱତା ଓ ଚାଟୁକାରିତା ଚାଲିଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିଲେ। ଏହାପରେ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା।

ସେ କହିଛନ୍ତି “ମୁଁ କାହାକୁ ଦୋଷ ଦେବି ? ମୋତେ ରାହୁଲ ଗାନ୍ଧୀଙ୍କୁ ଦୋଷ ଦେବାକୁ ପଡିଲା। କାରଣ ସେ କୌଣସି ପ୍ରୟାସ କଲେ ନାହିଁ। ମୋର ଉଦ୍ଦେଶ୍ୟ ଥିଲା ଯେ ସବୁକୁଛି ଚିଠିରେ ଲେଖି ଚାଲିଯିବା। କିନ୍ତୁ ଦଳ ମିଛ ଅଭିଯୋଗ ଲଗାଇ ମୋତେ ଉସ୍‌କାଇବାକୁ ଚେଷ୍ଟା କରିଛି। ”

ରାହୁଲ ଗାନ୍ଧୀଙ୍କୁ ଦୋଷ ଦେଇ ଆଜାଦ କହିଛନ୍ତି “ ଦଳର ପୁନର୍ଗଠନରେ ରାହୁଲ ଗାନ୍ଧୀ ଧ୍ୟାନ ଦେଲେ ନାହିଁ। ସେ କେବଳ ଫଟୋ ସେସନ, ଧାରଣା ଏବଂ ପବ୍ଲିକ ରାଲି ପାଇଁ ଉପଯୁକ୍ତ। ଏସବୁ ମନମାନି।” ସବୁ କଂଗ୍ରେସ କର୍ମୀ ଏକଥା ଜାଣିଛନ୍ତି ଯେ ଦଳର ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ସୁରକ୍ଷାକର୍ମୀ ନହେଲେ ପିଏମାନେ ନେଉଛନ୍ତି ବୋଲି ଆଜାଦ କହିଛନ୍ତି।

୨୦୧୯ ଲୋକସଭା ନିର୍ବାଚନକୁ ନେଇ ଆଜାଦ କହିଛନ୍ତି ଯେ ୨୦୧୯ରେ ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଚୌକିଦାର ଚୋର ଏଜେଣ୍ଡାକୁ ସମର୍ଥନ କରନ୍ତି ନାହିଁ। ଏନେଇ ସେ କହିଛନ୍ତି “ପ୍ରତି ପବ୍ଲିକ ମିଟିଂରେ ଚୌକିଦାର ଚୋର ହେ କୌଣସି ନିର୍ବାଚନୀ ମୁଦ୍ଦା ହୋଇପାରିବ ନାହିଁ। ମୁଁ ଏହି ଚୌକିଦାର ଚୋର ଏଜେଣ୍ଡାକୁ ଆଦୋ ସମର୍ଥ କରେନାହିଁ। ଏହା ବ୍ୟତୀତ ମୂଲ୍ୟ ବୃଦ୍ଧି ଓ ବେରୋଜଗାରୀ କଣ ମୁଦ୍ଦା ନଥିଲା। ?”

ତେବେ ବିଜେପି ସହ ମେଣ୍ଟ କରିବା ନେଇ ଉଠୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି ଗୁଲାମ। ସେ କହିଛନ୍ତି “ମୁଁ ବିଜେପି ଏଜେଣ୍ଡାକୁ ପୂରଣ କରୁ ନାହିଁ। କଂଗ୍ରେସ ଥିବା କିିଛି ବରିଷ୍ଠ ନେତା ବିଜେପିର କଂଗ୍ରେସ ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇ କଂଗ୍ରେସ ନଷ୍ଟ କରିବାକୁ ଚାହୁଁଛନ୍ତି। ତେବେ ମୁଁ ଯଦି ସେମିତି ହୋଇଥାନ୍ତି ତେବେ ୯ ବର୍ଷ ଧରି ମୁଁ ଦଳରେ ପରିବର୍ତ୍ତନ ପାଇଁ ମୁଁ ପ୍ରସ୍ତାବ ଦେଇନଥାନ୍ତି।”

Related Posts