(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ଭାଗ ନେଇପାରିବେ । ତେବେ ମହିଳାମାନେ ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସେନା କୋର୍ଟରେ କହିଥିଲା । କିନ୍ତୁ ଏହା ଲିଙ୍ଗଗତ ବାଛ ବିଚାରକୁ ପ୍ରୋତ୍ସିହତ କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ସେପ୍ଟେମ୍ୱର ୫ରେ ହେବାକୁ ଥିବା ଏନଡିଏ ପରୀକ୍ଷାରେ ଝିଅ ମାନେ ଭାଗ ନେଇପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷେ ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ କରାଯାଉ ବୋଲି କୁଷ କଲରା ନାମକ ଜଣେ ବ୍ୟକ୍ତି ଏକ ପିଟିସନ ଦାଖଲ କରିଥିଲେ। ଆବେଦନକାରୀ କହିଥିଲେ ଏନଡିଏ ପରୀକ୍ଷାରେ ଝିଅଙ୍କୁ ସାମିଲ୍ ନକରି ଧାରା ୧୪, ୧୫,୧୬ ଏବଂ ୧୯କୁ ଉଲ୍ଲଂଘନ କରୁଛି। ଏନେଇ ଆଡଭୋକେଟ୍ ଚିନ୍ମୟ ପ୍ରଦୀପ ଶର୍ମାଙ୍କ ସହ ଆଡଭୋକେଟ୍ ମୋହିତ ପଲ୍, ସୁନାନା ଏବଂ ଇରଫାନ୍ ହସିବ କୋର୍ଟରେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ।
ତେବେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଆଡମିଶନ କରିବାର ସୁଯୋଗ ସେମାନଙ୍କ ଲିଙ୍ଗ ଆଧାରରେ ଯୋଗ୍ୟତା ନିର୍ଦ୍ଦାରଣ ହେଉଛି ବୋଲି ଆବେଦନରେ କୁହାଯାଇଛି । କିନ୍ତୁ ଏହି ପରୀକ୍ଷାରେ ସାମିଲ୍ ହେବା ପାଇଁ ଯେଉଁ ମହିଳା ପ୍ରାର୍ଥୀ ଆଗ୍ରହ ଦେଖାଉଛନ୍ତି ତାକୁ ବାରଣ କରାଯାଉଛି। ତେଣୁ ଯୁକ୍ତ ଦୁଇ ସ୍ତର ପାସ୍ କରିଥିବା ଛାତ୍ରୀ ମାନେ ଲିଙ୍ଗଗତ ବାଛ ବିଚାର ପାଇଁ ଏନଡିଏ ଏବଂ ନାଭାଲ ଏକାଡେମୀ ପରୀକ୍ଷାରେ ସାମିଲ୍ ହେବାକୁ ଇଚ୍ଛା ରଖିଥିଲେ ମଧ୍ୟ ସାମିଲ୍ ହୋଇପାରୁ ନାହାନ୍ତି। ଅନ୍ୟପଟେ ସମାନ ଯୋଗ୍ୟତା ଥାଇ ମଧ୍ୟ ପୁରୁଷମାନେ ଏହି ପରୀକ୍ଷା ଦେବାରେ ସମର୍ଥ ହୋଇପାରୁଛନ୍ତି ।
କେବଳ ଏତିକି ନୁହେଁ ବରଂ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ମହିଳାମାନଙ୍କୁ ତାଲିମ ନ ଦେବା ଏବଂ କେବଳ ଲିଙ୍ଗ ଆଧାରରେ ଦେଶର ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ ଅଫିସର ଭାବେ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିବା ହେଉଛି ମୌଳିକ ଅଧିକାରର ଉଲ୍ଲଂଘନ। ଯାହାକି ଭାରତୀୟ ସମ୍ୱିଧାନର ବିରୋଧ ବୋଲି ଆବେଦନରେ କୁହାଯାଇଥିଲା ।
