‘ସାଂସଦ ଓ ବିଧାୟକ ମାନଙ୍କୁ ଉଚିତ୍ ସମ୍ମାନ ଦିଅ’; ଚିଠି ଲେଖି ମୁଖ୍ୟ ଶାସନ ସଚିବ ମାନଙ୍କୁ ତାଗିଦ୍ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସାଂସଦ ଓ ବିଧାୟକମାନଙ୍କୁ ଅଫିସରମାନେ ଉପଯୁକ୍ତ ସମ୍ମାନ ଦେଉ ନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଲୋକପ୍ରତିନିଧି ମାନଙ୍କ ଚିଠି ଗୁଡ଼ିକୁ ଅଫିସର୍‌ମାନେ ଅଣଦେଖା କରୁଛନ୍ତି। ଓଡ଼ିଶା ବିଧାନସଭାରେ ଏହାକୁ ନେଇ ପୂର୍ବରୁ ତମ୍ବିତୋଫାନ ମଧ୍ୟ ହୋଇଛି। କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଘଟଣା ଲଗାତର ଭାବେ ଘଟିଚାଲିଛି। ଏବେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟିକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ଚିଠି ଲେଖି ତାଗିଦ୍ କରାଯାଇଛି। ସାଂସଦ ଓ ବିଧାୟକମାନଙ୍କ ପ୍ରତି ଜିଲ୍ଲାରୁ ରାଜ୍ୟ ପର୍ଯ୍ୟନ୍ତ ସବୁ ଅଫିସର୍‌ମାନଙ୍କ ଆଚରଣ ଯେପରି ଠିକ୍ ରହେ, ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ଚିଠିରେ କୁହାଯାଇଛି।

ଜନପ୍ରତିନିଧିଙ୍କ ପ୍ରତି ଅଫିସରମାନଙ୍କ ଆଚରଣ କିପରି ରହିବ, ସେଥି ପାଇଁ କେନ୍ଦ୍ର ସରକାର ୨୦୧୧ ମସିହାରେ ଏକ ବିସ୍ତୃତ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଥିଲେ। ଏହାକୁ ମାନିବା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସମେତ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଥିଲା। ଏହା ସତ୍ତ୍ବେ ବହୁ ସମୟରେ ଲୋକପ୍ରତିନିଧିମାନଙ୍କୁ ଅଫିସର୍‌ମାନେ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରୁ ନଥିବାର ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଗାଇଡ୍‌ଲାଇନ୍ ସମ୍ପର୍କରେ ସଚେତନ କରାଇ ଦିଆଯାଉଛି। ଗତ ସପ୍ତାହରେ ମଧ୍ୟ ମୁଖ୍ୟ ଶାସନ ସଚିବ ମାନଙ୍କୁ ଏମିତି ଚିଠି ଲେଖାଯାଇ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

ଗାଇଡ୍‌ଲାଇନ୍‌ ଅନୁସାରେ, ସାଂସଦ ଓ ବିଧାୟକଙ୍କୁ ସରକାରୀ ଅଫିସରମାନେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବେ। ସେମାନଙ୍କ କଥାକୁ ଧ୍ୟାନପୂର୍ବକ ଶୁଣିବେ ଏବଂ ଏହା ଉପରେ ବିଚାର କରି ଆଇନ ଅନୁଯାୟୀ ଉପଯୁକ୍ତ ନିଷ୍ପତ୍ତି ନେବେ। ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ କରିବା ଓ ତାଙ୍କୁ ବିଦାୟ ଦେବାବେଳେ ନିଜ ଆସନରେ ଠିଆ ହୋଇ ଅଫିସରମାନେ ସମ୍ମାନ ଜଣାଇବେ। ସାଂସଦ ଓ ବିଧାୟକଙ୍କ ଫୋନ୍ କଲ୍‌କୁ ଅଫିସର୍‌ମାନେ ନିଶ୍ଚିତ ରିସିଭ୍ କରିବେ। ଯଦି ସେମାନେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବେ, ତେବେ ପରବର୍ତ୍ତୀ ସମୟରେ ଫୋନ୍‌ କରି ଯୋଗାଯୋଗ କରିବେ। କୌଣସି ସରକାରୀ ସଭାସମିତିକୁ ଜନପ୍ରତିନିଧିଙ୍କୁ ନିମନ୍ତ୍ରଣ କଲା ବେଳେ ସେଠାରେ ଉପଯୁକ୍ତ ପ୍ରୋଟୋକଲ୍‌ ପାଳନ କରିବେ। ଯଦି ଏସବୁର ଉଲ୍ଲଂଘନ ହୋଇଥିବାର ପ୍ରମାଣ ମିଳେ, ତେବେ ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ଅଫିସର୍‌ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଭାବରେ ତାଗିଦ୍ କରାଯାଇଛି।

Related Posts