ଭାକ୍ସିନ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡର ଆହ୍ୱାନ

global tender

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣକୁ ରୋକିବା ପାଇଁ ମେ’ ପହିଲାରୁ ଟୀକାକରଣ ଆରମ୍ଭ ହୋଇଛି । ତେବେ କରୋନା ଟୀକାର ଚାହିଦା ପୂରଣ ପାଇଁ ଓଡିଶା ସରକାର ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଛନ୍ତି । ଏନେଇ ରାଜ୍ୟ ମେଡିକାଲ କର୍ପୋରେଶନ ଲିଃ ପକ୍ଷରୁ ଇ-ଟେଣ୍ଡର ପୋର୍ଟାଲ https://tendersodisha.gov.in ଜରିଆରେ ଯୋଗ୍ୟ ବିଡରଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଅନ୍ୟପଟେ ଆସନ୍ତା ୧୯ ତାରିଖରେ ଏ ନେଇ ଅନଲାଇନ ବୈଠକ ବସିବ । ଏଥିରେ ଟୀକା ଯୋଗାଣକାରୀ ଆଗ୍ରହୀ ପକ୍ଷମାନେ ଏହି ବୈଠକରେ ଯୋଗ ଦେଇ ପାରିବେ । ତେବେ ୨୦ ତାରିଖ ଅପରାହ୍ନ ୩ଟାରୁ ଇଚ୍ଛୁକ ସଂସ୍ଥା ଆବେଦନ କରିପାରିବେ । ଏହା ୨୮ ତାରିଖ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ପୂର୍ବାହ୍ନ ୧୧ଟା ୩୦ରେ ଟେକ୍ନିକାଲ ବିଡ ଏବଂ ଅପରାହ୍ନ ୫ଟାରେ ପ୍ରାଇସ ବିଡ ଖୋଲାଯିବ । ଏ ବାବଦରେ ଆବଶ୍ୟକୀୟ କାଗଜପତ୍ର ଓଡିଶା ରାଜ୍ୟ ଔଷଧ ନିଗମ ୱେବସାଇଟରେ ଉପଲବ୍ଧ ରହିଛି । ବିଡର ଇମେଲ ଆଇଡି ଦେଇ ବିଡ ପାଇଁ ପୋର୍ଟାଲ ରେଜିଷ୍ଟେସନ କରି ପାରିବେ । ଅନ୍ୟପଟେ ଓଡିଶା ୩ କୋଟି ୮୦ ଲକ୍ଷ ଡୋଜ ଟୀକା ମଗାଇବାକୁ ଗ୍ଲୋବାଲ ଟେଣ୍ଡରକୁ ଆହ୍ୱାନ କରିଛି । ତେବେ ଟୀକା ଯୋଗାଣ କମ୍ପାନୀ ଗୁଡିକ ୩୦ ଦିନ ଭିତରେ ୭୫ ଲକ୍ଷ ଡୋଜ ଯୋଗାଇବେ । ସେହିପରି ୬୦ ଦିନ ଭିତରେ ୨ କୋଟି ୨୫ ଲକ୍ଷ ଯୋଗାଉଥିବା ବେଳେ ୯୦ ଦିନରେ ୩ କୋଟି ୭୫ ଲକ୍ଷ ଓ ୧୨୦ ଦିନ ଭିତରେ ୩ କୋଟି ୮୦ ଲକ୍ଷ ଟୀକା ଯୋଗାଇବାର ସର୍ତ୍ତାବଳୀ ରଖାଯାଇଛି । ଧାର୍ଯ୍ୟ ଡୋଜର ୩୦ ପ୍ରତିଶତ ଟଙ୍କା ରାଜ୍ୟ ଆଗୁଆ ଔଷଧ ନିଗମକୁ ପ୍ରଦାନ କରିବ । ଅନ୍ୟପଟେ ୨ ଡିଗ୍ରୀରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରହିପାରୁଥିବା ୩.୮୦ କୋଟି ଡୋଜ ଟୀକା ଗ୍ଲୋବାଲ ଇ-ଟେଣ୍ଡର ଜରିଆରେ କିଣିବାକୁ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିଲା ।

Related Posts