ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ। ବିଲୋପ ହେଲା ୩୫୮ଟି ଆଇନ। ତେବେ ୧୯୭୪ରୁ ୨୦୨୫ ମଧ୍ୟରେ ବିଧାନସଭା ଦ୍ବାରା ପ୍ରଣୀତ ୩୫୮ଟି ଅଧିନିୟମକୁ ବିଲୋପ ନିମନ୍ତେ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ସୁପାରିସ କରିଥିଲା। ଏହାକୁ କାର୍ଯ୍ୟକାରୀ ପାଇଁ ଆଇନ ବିଭାଗ ପକ୍ଷରୁ ଓଡ଼ିଶା ବିଲୋପ ବିଲ୍-୨୦୨୬ ଅଣାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ଏହି ୩୫୮ ଅଧିନିୟମକୁ ଆଉ ଆଇନ ପୁସ୍ତକରେ ରଖିବାର ଆବଶ୍ୟକତା ନାହିଁ। ସେହିପରି ଓଡ଼ିଶା ଜିଲ୍ଲା ଓ ସିଭିଲ୍ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୦୮ର ସଂଶୋଧନ ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିୟର କ୍ଲର୍କ ପଦବିକୁ ପଦୋନ୍ନତି ପାଇବାର ସୁଯୋଗ ଦିଆଯାଇଛି।
ଏହାସହ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟରେ କୋର୍ଟ ମ୍ୟାନେଜର ସେବାକୁ ନିୟମିତ ପାଇଁ ନୂତନ ନିୟମାବଳୀ ପ୍ରଣୟନ ନିଷ୍ପତ୍ତି ହୋଇଛି। କ୍ୟାବିନେଟ୍ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ୍ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’ ରଦ୍ଦ ପାଇଁ ‘ଓଡ଼ିଶା ହାଇସ୍ପିଡ୍ ଡିଜେଲ୍ ଡିଲର୍ସ ଲାଇସେନ୍ସ ରିପିଲ୍, ୨୦୨୬’ ନାମକ ଏକ ନୂତନ ଅଧିସୂଚନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨କୁ ଉଚ୍ଛେଦ କରି ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ,୨୦୨୬ ପ୍ରଣୟନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି।
ଏହି ନୂତନ ଆଇନରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା, ତଟୀୟ ଓ ଜାତୀୟ ନିରାପତ୍ତାକୁ ଉଚ୍ଚ ପ୍ରାଥମିକତା ଦିଆଯାଇଛି। ଆଇନରେ ଟ୍ରାନ୍ସପଣ୍ଡର, ଭିଏଚ୍ଏଫ୍ ରେଡିଓ, ଭେସେଲ୍ ଟ୍ରାକିଂ ଆଣ୍ଡ ମନିଟରିଂ ସିଷ୍ଟମ (ଭିଟିଏମ୍ଏସ୍) ସମେତ ଆଧୁନିକ ନିରାପତ୍ତା ଉପକରଣ ଏବଂ ଯୋଗାଯୋଗ ଜ୍ଞାନକୌଶଳର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା ନିୟମାବଳୀ, ୨୦୨୬’କୁ କ୍ୟାବିନେଟ୍ ଅନୁମୋଦନ ମିଳିଛି।
ଏହା ଦ୍ବାରା ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ଗଠନ ପ୍ରକ୍ରିୟା ପାଦେ ଆଗେଇଛି। ରାଜ୍ୟର ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜିର ସୁପରିଚାଳନା, ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ସ୍ଥାପନ, ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା କ୍ୟାଡର୍ର ପୁନର୍ଗଠନ ଏବଂ କ୍ୟାଡର୍ ନିୟମାବଳୀ ପ୍ରଣୟନ ନିମନ୍ତେ ୨୦୨୩ ଅକ୍ଟୋବର ମାସରେ କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ସ୍ବତନ୍ତ୍ର ରାଜ୍ୟ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ସହଜରେ ସଂରକ୍ଷିତ ହୋଇପାରିବ।
